ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମାମାଡ଼ ଘଟଣା; ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଢ଼େଙ୍କାନାଳରେ ନବନିର୍ବାଚିତ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମାମାଡ଼ ଘଟଣାକୁ ନେଇ ସାରା ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା ପ୍ରକଟ କରିଥିବାର ଦେଖିବାକୁ ମିଳିଛି । ତେବେ ଢେଙ୍କାନାଳରେ ନବନିର୍ବାଚିତ ପୌରାଧ୍ୟକ୍ଷା ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର ଓ ତାଙ୍କ ସ୍ୱାମୀ ରାମଚନ୍ଦ୍ର ପାତ୍ରଙ୍କ ବାସଭବନ ଉପରକୁ ବୋମାମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ପାଇଁ ପୋଲିସ୍ ଡିଜିଙ୍କ ସହ କଥା ହୋଇଛନ୍ତି । ଏହାସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ୱିଟ୍ କରିଛନ୍ତି ।

ସେ ଲେଖିଛନ୍ତି, ଢେଙ୍କାନାଳ ଏକ ଶାନ୍ତିପ୍ରିୟ ଅଂଚଳ । ଦୁର୍ବୃତମାନେ ନିର୍ଭୟରେ ଏଭଳି ଘଟଣା ଘଟାଇବା ଚିନ୍ତାଜନକ । ଭୟ ଓ ଆତଙ୍କରାଜ ସୃଷ୍ଟି କରି ବିଜେପି ନେତାଙ୍କ ସ୍ୱରକୁ ଦବାଯାଇପାରିବ ନାହିଁ । ଏଭଳି ଦୁର୍ଭାଗ୍ୟଜନକ ଘଟଣା ରାଜ୍ୟର ପ୍ରତିଟି ନାଗରିକଙ୍କ ପାଇଁ ଚିନ୍ତାର ବିଷୟ । ସେପଟେ ଜୟନ୍ତୀ ପାତ୍ରଙ୍କ ବାସଭବନ ଉପରେ ବୋମାମାଡ଼କୁ ନେଇ ବିଜେପିର ୪ଜଣିଆ ପ୍ରତିନିଧି ଦଳ ଆଜି ଢେଙ୍କାନାଳ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡା. ମୁକେଶ ମହାଲିଙ୍ଗ, ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ଓ ଅନିତା ଶୁଭଦର୍ଶିନୀ ସାମିଲ୍ ଅଛନ୍ତି । ଶନିବାର ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷ ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର ଓ ତାଙ୍କ ସ୍ୱାମୀଙ୍କୁ ଦୁର୍ବୃତମାନେ ଦୁଇଦୁଇଥର ଆକ୍ରମଣ କରିବା ସହ ତାଙ୍କ ବାସଭବନଙ୍କୁ ବୋମାମାଡ଼ କରିଥିଲେ । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts