ଆଜିଠାରୁ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ବୁଷ୍ଟର୍ ଡୋଜ୍: ବିନା ପଞ୍ଜିକରଣରେ ନେଇହେବ ଟୀକା

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ଦେଶର ଟିକାକରଣକୁ ଜୋରଦାର କରଯାଇଥିବା ବେଳେ, ଆଜିଠାରୁ ଆରମ୍ଭ ହୋଇଯାଇଛି ବୁଷ୍ଟର୍ ଡୋଜ୍ | ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନାର ବୁଷ୍ଟର୍ ଡୋଜ୍ | ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନେଇପାରିବେ। ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ରେ ଯେଉଁ କମ୍ପାନିର ଟିକା ନେଇଥିଲେ, ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ଭାବେ ସେହି ଟିକା ହିଁ ଦିଆଯିବ। କୋଭିଡ୍ ଭାସ୍କିନ୍‌ର ପ୍ରିକଶନ ଡୋଜ୍ ନେବା ଲାଗି କୋୱିନ୍ ପୋର୍ଟାଲରେ ନାମ ପଞ୍ଜୀକରଣ କରିବା ଆବଶ୍ୟକ ନାହିଁ ବୋଲି କେନ୍ଦ୍ର ସରକାର ଶନିବାର ସ୍ପଷ୍ଟ କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେବା ପାଇଁ ପଞ୍ଜୀକରଣ ଆବଶ୍ୟକ ହେଉଥିଲା। ସମସ୍ତ ହିତାଧିକାରୀଙ୍କ ନାଁ କୋୱିନ୍‌ରେ ପଞ୍ଜୀକୃତ ହୋଇସାରିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି।

ଘରୋଇ ହସ୍ପିଟାଲରେ ୨୨୫ ଟଙ୍କାରେ ମିଳିବ କୋଭିଡ୍ ଭ୍ୟାକ୍ସିନ୍। ଉଭୟ କୋଭାକ୍ସିନ୍ ଏବଂ କୋଭିସିଲ୍ଡର ଦାମ୍ ସର୍ବାଧିକ ୨୨୫ ଟଙ୍କା ରଖିଛନ୍ତି ଟିକା ନିର୍ମାତା କମ୍ପାନୀ। ଏନେଇ ଭାରତ ବାୟୋଟେକ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ଏବଂ କୋଭିସିଲ୍ଡ ୬୦୦ ଟଙ୍କାରେ ମିଳୁଥିଲା।

ସେପଟେ ବେସରକାରୀ ହସ୍ପିଟାଲରେ କରୋନାର ବୁଷ୍ଟର୍ ଡୋଜ ପାଇଁ ସର୍ବାଧିକ ସର୍ଭିସ ଚାର୍ଜ ୧୫୦ ଟଙ୍କା କରାଯାଇଛି। ଏହାଠାରୁ ଅଧିକ ଟଙ୍କା କୌଣସି ହସ୍ପିଟାଲ ନେଇପାରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଟିକାର ଦାମକୁ ଛାଡ଼ି ସର୍ବାଧିକ ୧୫୦ ଟଙ୍କା ନେଇପାରିବେ ପ୍ରାଇଭେଟ ହସ୍ପିଟାଲ ବୋଲି କୁହାଯାଇଛି।

Related Posts