ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ । ଗୃହ ଆରମ୍ଭରୁ ଉଭୟ ଶାସକ ଓ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ଚାଲିପାରିଲାନି ଗୃହ । ଫଳରେ ଗୃହକୁ ୧୧.୩୦ ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।
ସୂଚନା ଥାଉକି, ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା କରିଥିଲେ ଉଭୟ ଶାସକ ଓ ବିରୋଧୀ। ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଥିଲା ବିଧାନସଭା। ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତ ଦଳ ହଟ୍ଟଗୋଳ କରିଥିଲେ।ଏମିତିକି ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ ବିରୋଧୀ ।
ବିରୋଧୀ ବିଜେପି ଓ କଂଗ୍ରେସ ଫସଲ ବୀମା, ମଣ୍ଡି ସମସ୍ୟା ଓ ଇନପୁଟ ସବସିଡି ପ୍ରସଙ୍ଗରେ ହୋ ହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢି ନାରାବାଜି ଓ ବିରୋଧ ପ୍ରଦର୍ଶନ କରିଥିଲେ।
ସେପଟେ ବିଜେଡି ବିଧାନସଭାରେ ଉଠାଇଥିଲା ଧାନର ଏମଏସପି ପ୍ରସଙ୍ଗ । ଏମଏସପି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଦଳର ସଦସ୍ୟ ମାନେ ନାରାବାଜି ଓ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ବିଧାନସଭାର ଗାନ୍ଧୀ ମୂର୍ତ୍ତିତଳେ ବିଜେଡି ବିଧାୟକ ମାନେ ଧାରଣା ଦେଇଥିବା ବେଳେ ଏମଏସପିକୁ ନେଇ ଲଢେଇ ଜାରି ରହିବ ବୋଲି ବିଜେଡ଼ି କହିଛି ଓ ଏହି ପ୍ରସଙ୍ଗରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବ ବୋଲି ଦଳ କହିଛି।
