ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: କଂଗ୍ରେସ କର୍ମୀଙ୍କୁ ହୋଟେଲ ଭିତରେ ପଶି ଆକ୍ରମଣ କରିବାର ଭିଡ଼ିଓ ଭାଇରାଲ

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପଡ଼ୁଛି ଉଠୁଚି ପ୍ରଚାର ମଇଦାନ । ଦଳର ହେବିୱେଟ ନେତା ଡେରା ପକାଇ ପ୍ରଚାର କରୁଛନ୍ତି । ଆଉ ମାତ୍ର ଦୁଇ ଦିନ ପରେ ହେବ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ । ଏନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି ।

ଏହି ସମୟରେ ଆଜି ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗା ଅଞ୍ଚଳର ଏକ ହୋଟେଲରେ କିଛି ବ୍ୟକ୍ତିଙ୍କ ଦ୍ଵାରା କଂଗ୍ରେସ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଓ ହୋଟେଲରେ କରିଥିବା ଭଙ୍ଗାରୁଜାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ପଞ୍ଚଗା ଅଞ୍ଚଳର ଏକ ଢ଼ାବାରେ କଂଗ୍ରେସ ଦଳର କିଛି କାର୍ଯ୍ୟକର୍ତ୍ତା ଖାଉଥିବା ସମୟରେ ୧୫ ରୁ ୧୭ ଜଣ ବ୍ୟକ୍ତି ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏଥିରେ କିଛି ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ଦୁଇ ପ୍ରମୁଖ ଦଳ ମଧ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ନିର୍ବାଚନ ମୁଣ୍ଡ ଉପରେ ଥିବା ସମୟରେ ଏପରି ନିର୍ବାଚନୀ ହିଂସା ପାଇଁ ଦାୟୀ କିଏ ?

ଏହା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଛି ନା ଏହା ପଛରେ ଅନ୍ୟ କିଛି କାରଣ ଅଛି ।

Related Posts