
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ । ତା ସାଙ୍ଗକୁ ଗୁଲୁମୁଲି । ତେବେ ଆସନ୍ତା ୪ ଦିନ ମଧ୍ୟରେ ତାତିରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇପାରେ।
ରବିବାର ୮ଟି ଜିଲ୍ଲାରେ ଘଡ଼ଘଡ଼ି, ବର୍ଷା ସହ ଧୂଳିଝଡ଼ ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରାଜ୍ୟରେ ଏବେ ଗରମ ସହ ଗୁଳୁଗୁଳି ଜାରି ରହିଛି । ଶନିବାର ୧୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ଏଥିରୁ ବୌଦ୍ଧ, ବଲାଙ୍ଗିରରେ ପାରଦ ୪୨ ଡିଗ୍ରୀ ଛୁଇଁଛି । ଉପକୂଳରେ ତାତି ୪୦ ଡିଗ୍ରୀ ତଳେ ଥିଲା, ହେଲେ ଗୁଳୁଗୁଳି ଭୀଷଣ ଜାରି ରହିଛି । ସେଥିପାଇଁ ଆଭ୍ୟନ୍ତରୀଣଠାରୁ ଉପକୂଳର ଅବସ୍ଥା ବେଶି ଯନ୍ତ୍ରଣାଦାୟକ ହୋଇପଡ଼ିଛି ।
ସେହିପରି ଆସନ୍ତା ଦୁଇଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଧିକ । ରବିବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସହ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଆଶଙ୍କା ରହିଛି ।
ଅନ୍ୟପଟେ ଏଯାଏ ମୌସୁମୀ କେରଳରେ ପ୍ରବେଶ କରିନାହିଁ । ଆହୁରି ଦୁଇଦିନ ଲାଗିପାରେ ମୌସୁମୀର କେରଳ ଆଗମନ ନେଇ । ଅନୁମାନ କରାଯାଉଛି, ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାରେ ଭୀଷଣ ଗରମ ଅନୁଭୂତ ହେବ । ରାଜ୍ୟରେ ଜୁନ୍ ୧୦ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍ ।