ବ୍ରଜରାଜନଗର ଉପନିର୍ବାଚନ; ୨୭୯ଟି ମତଦାନ କେନ୍ଦ୍ରରେ ହେବ ଭୋଟ ଗ୍ରହଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ରାଜ୍ୟର ନଜର ବର୍ତ୍ତମାନ ବ୍ରଜରାଜନଗର ଉପନିର୍ବାଚନ ଉପରେ ରହିଛି । ଏହା ମଧ୍ୟରେ ବ୍ରଜରାଜନଗର ଉପନିର୍ବାଚନର ଭୋଟ୍ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ କରାଯିବ। ଏହା ସହ ବ୍ରଜରାଜନଗର ଉପନିର୍ବାଚନରେ ୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୩୩ ନୂଆ ଭୋଟରଙ୍କୁ ମିଶାଇ ଏଥର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟ୍ ଦେବେ। ଭୋଟରମାନେ ସୁରୁଖୁରୁରେ ଭୋଟ ଦେବା ନେଇ ବିଶେଷ ବ୍ୟବସ୍ଥା ହେବ।

ଠିକ୍ ସେହିପରି କୋଭିଡ୍ ନିୟମ ମାନିବା, ଭୋଟରମାନଙ୍କୁ ମାସ୍କ ପିନ୍ଧି ବୁଥକୁ ଆସିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯିବା ଲାଗି ବନ୍ଦୋବସ୍ତ ହୋଇଥିବାର ବି ସେ ସୂଚନା ଦେଇଛନ୍ତି। ଏହାଛଡ଼ା ମତଦାନ ଦିନଟିକୁ ସେହି ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି। ବାହାର ଅଞ୍ଚଳର ସରକାରୀ କର୍ମଚାରୀମାନଙ୍କ ଲାଗି ୩ ଦିନ ଛୁଟି ମିଳିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts