ଭାବମୂର୍ତ୍ତି ପାଇଁ ନବୀନଙ୍କ ବେକ ପର୍ଯ୍ୟନ୍ତ କଟୁରୀକୁ ଅନୁମତି !

ଭାବମୂର୍ତ୍ତି ପାଇଁ ବାଜିରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ଆଉ ଭାବମୂର୍ତ୍ତି ପାଇଁ ନବୀନଙ୍କର ବେକ ପର୍ଯ୍ୟନ୍ତ ମଧ୍ୟ କଟୁରୀକୁ ଅନୁମତି ଦିଆଗଲା । ଭୁବନେଶ୍ବର-ପୁରୀ ରାସ୍ତାରେ ଗତ 1 ତାରିଖରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଗୋଟିଏ ପଟେ ରାଜ୍ୟରେ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଥିବାବେଳେ ଅନ୍ୟପଟେ ରାସ୍ତାରେ ନବୀନଙ୍କ ପଇଡ଼ ପିଇବା ଘଟଣା ସଂଯୋଗ ଥିଲା ନା ପ୍ରାୟୋଜିତ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।

ଘଟଣା ଦିନକ ତଳର । 1 ତାରିଖ ନୂଆ ବର୍ଷ ଦିନ ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିଲେ ନବୀନ । ରାସ୍ତାରେ ନବୀନ କୁଆଡ଼େ ପଇଡ଼ ପିଇବାକୁ ମନ କଲେ । ଗାଡ଼ି ଅଟକିଲା । ଜଣେ ପଇଡ଼ ବିକାଳିଙ୍କଠାରୁ ନବୀନ ପଇଡ଼ ପିଇଲେ, ତାଙ୍କୁ 500 ଟଙ୍କା ବି ଦେଲେ । ଏହା ହିଁ ଖବର ଯାହା ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛି, ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ।

କିନ୍ତୁ ଯେଉଁ ଫଟୋ ଆସିଛି ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ରାସ୍ତା କଡ଼ରେ ପଇଡ଼ ବିକୁଥିବା ବ୍ୟକ୍ତି ଜଣକ ପଇଡ଼ କାଟି ମୁଖ୍ୟମନ୍ତ୍ରୀଙ୍କୁ ନିଜେ ବଢ଼ାଉଛନ୍ତି । ସେ ହାତରେ କଟୁରୀ ଧରିଛନ୍ତି । ଏମିତି ଏକ ଫଟୋ ପ୍ରଚାର କରି ନବୀନ ଲୋକଙ୍କ ନେତା ବୋଲି ଦେଖାଇବାକୁ ଚେଷ୍ଟା କରାଯାଇଛି । କିନ୍ତୁ ଏହାର ଯେଉଁ ଭିନ୍ନ ଦିଗ ରହିଛି ତାହା ଗୁରୁତର । କଥା ସଂପୃକ୍ତ ପଇଡ଼ ବିକାଳୀଙ୍କ ବାବଦରେ ନୁହେଁ, କିନ୍ତୁ କଥା ହେଲା ଯେ କେହି ହାତରେ ଏମିତି ଘାତକ ମାରଣାସ୍ତ୍ର ଧରିଥିବା ଅବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ଏତେ ନିକଟକୁ ଯିବାକୁ କେମିତି ଦେଲେ ତାଙ୍କ ସୁରକ୍ଷା କର୍ମୀ ।

ତେବେ ନବୀନଙ୍କର ଏମିତି ରାସ୍ତାରେ ନଡ଼ିଆ ପିଇବା ଘଟଣା ନିର୍ବାଚନୀ ଋତୁରେ କ’ଣ ପୂର୍ବ ପ୍ରାୟୋଜିତ/ଯୋଜନା ହୋଇଥିଲା । ଯଦି ନୁହେଁ ଏହା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଭୟଙ୍କର ଅବହେଳା । ଭିଭିଆଇପିଙ୍କ ଗସ୍ତ ବେଳେ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ପାଳନ କରାଯାଏ । ସେଥିପାଇଁ ରାସ୍ତା ଘାଟରେ ସାଧାରଣ ଲୋକଙ୍କ ଗାଡ଼ିକୁ ଟ୍ରାଫିକ୍‌ ଅଟକାଇ ଦିଏ ।

ମୁଖ୍ୟମନ୍ତ୍ରୀ କୌଣସି ସଭାରେ ଯୋଗ ଦେଉଥିଲେ, ସେଠାକୁ ଯାଉଥିବା ସବୁ ଲୋକଙ୍କର ସିକ୍ୟୁରିଟି ଯାଂଚ ତନ୍ନ ତନ୍ନ କରି ନିଆଯାଏ । ଏପରି ସ୍ଥଳେ ଏମିତି ରାଜରାସ୍ତା କଡ଼ରେ ଜଣେ ଅଜଣା ଲୋକ ଯିଏ କୌଣସି ମାରଣାସ୍ତ୍ର ଧରିଥିବେ, ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏତେ ପାଖକୁ ଯିବାକୁ ଅନୁମତି ଦିଆଗଲା କେମିତି ।

ମୁଖ୍ୟମନ୍ତ୍ରୀ ପଇଡ଼ ପିଇବାକୁ ଚାହୁଁଥିଲେ ତାଙ୍କ ସିକ୍ୟୁରିଟି ଅଫିସର ତାଙ୍କୁ ପଇଡ଼ ଆଣି ଦେଇପାରିଥାନ୍ତେ । ଫଟୋରେ ଯାହା ଦେଖାଯାଉଛି, ମୁଖ୍ୟମନ୍ତ୍ରୀ କାର୍‌ର ଡୋର ପାଖରେ ବି କେହି ସିକ୍ୟୁରିଟି ଗାର୍ଡ ନାହାନ୍ତି । ଅର୍ଥାତ୍‌ ପଇଡ଼ ବିକାଳିଙ୍କୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ବଢ଼ାଇବାକୁ କୁହାଯାଇଛି ଏବଂ ବୋଧହୁଏ ସିକ୍ୟୁରିଟି ଅଫିସର ହିଁ ଏହି ଫଟୋ ଉଠାଉଛନ୍ତି ।

ଏ ସବୁ କଥା ଏଥିପାଇଁ ଅଧିକ ଦୃଢ଼ୀଭୂତ ହେଉଛି ଏଥିପାଇଁ ଏମିତି ଗୁରୁତର ଅବହେଳା କ୍ଷେତ୍ରରେ ଏ ଯାଏଁ ପୋଲିସ ଡିଜି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା ହେଉ ବା ସଭାରେ ନବୀନଙ୍କୁ ଜୋତାମାଡ଼ ଘଟଣା, ସେତେବେଳେ ମୁଖ୍ୟମନ୍ତ୍ରୀଙଅକ ସୁରକ୍ଷା ବ୍ୟବସ୍ଥା ନେଇ ପରେ ତନାଘନା କରାଯାଇଛି । କିନ୍ତୁ 1 ତାରିଖର ଏହି ଘଟଣାକୁ ସୁରକ୍ଷାରେ ଢିଲା ନୁହେଁ, ବରଂ ନବୀନଙ୍କୁ ସାଧାରଣ ଲୋକଙ୍କର ପ୍ରିୟ ନେତା ଭାବେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି । ଆଉ ଏ ସବୁ କେବଳ ଭଲ ଭାବମୂର୍ତ୍ତିର ପ୍ରଦର୍ଶନ ପାଇଁ ।

Related Posts