ବେଞ୍ଚ୍ ବାହାନା-ମକସତ ବିଜେଡି ! ନବୀନ ନିବାସରେ ନବ ଦାସ

ନବ ଦାସ ଅଞ୍ଚଳ ସ୍ବାର୍ଥ ବାହାନାରେ ନବୀନ ନିବାସ ଯିବା ଏମିତି କିଛି ଦର୍ଶାଇପାରେ ତାହା ହେଲା କଥା ଛିଡ଼ିଲା, ବାକି ରହିଲା ବରଣମାଳା !

ଭୁବନେଶ୍ୱର – ନବୀନ ନିବାସରେ ନବଦାସ । ନୂଆ ବର୍ଷରେ ଗୁରୁବାର ନବୀନ ନିବାସରେ କଂଗ୍ରେସ ବିଧାୟକ ନବ ଦାସଙ୍କ ଆବିର୍ଭାବକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ନବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ଢେର ସମୟ ଯାଏ କଥା ହେଲେ । ନିଜ ନିବାସରେ ବିରୋଧୀ ଦଳର ବିଧାୟକ ନବଙ୍କୁ ଦେଖି ମୁରୁକି ହସିଲେ ମୁଖ୍ୟମନ୍ତ୍ରୀ । ଯଦିଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପଛରେ ପଶ୍ଟିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ବାହାନା କରିଛନ୍ତି ନବ ଦାସ, କିନ୍ତୁ କିଛି ଦିନ ହେଲା ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ବିଜେଡି ସୁପ୍ରିମୋଙ୍କ ସହ ବନ୍ଧୁ ସମ ସ୍ମିତହାସ୍ୟକୁ ନେଇ ଆରମ୍ଭ ହୋଇଛି ଟୁପୁରୁ ଟାପୁରୁ ।

ଗୋଟିଏ ପଟେ ଭୁବନେଶ୍ବରରେ ନିଜ ଦଳ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବାବେଳେ ସେ ସବୁଥିରେ ନବ ବାବୁଙ୍କୁ ଦେଖା ମିଳୁନାହିଁ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନ ଯାଏଁ ଯାଉଛନ୍ତି । ଯଦି ପ୍ରସଙ୍ଗ ବ୍ୟକ୍ତିଗତ ନୁହେଁ ଅଞ୍ଚଳବାସୀଙ୍କ ସ୍ବାର୍ଥ ସହ ଜଡ଼ିତ, ତେବେ ନବ ବାବୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଚିବାଳୟରେ ତାଙ୍କ ଅଫିସ୍‌ରେ ଭେଟିପାରିଥାନ୍ତେ । ଏମିତି ନ କରି ନବୀନଙ୍କୁ ନବ ତାଙ୍କ ଘରେ ଭେଟିବା ପଛର ଅସଲ ଉଦ୍ଦେଶ୍ୟ କ’ଣ ?

ଆହୁରି ଏକ ମୌଳିକ ପ୍ରଶ୍ନ ହେଲା କିଛି ଦିନ ତଳେ ଶେଷ ହୋଇଥିବା ବିଧାନସଭା ଅଧିବେସନରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ କାହିଁକି ଉଠାଇଲେ ନାହିଁ ନବ ବାବୁ ? ବିଧାନସଭା ଗୃହରେ ଦାବି ନ କରି ଏବେ ଏମିତି ବ୍ୟକ୍ତିଗତ ଭାବେ ଭେଟିବା ଲୋକଙ୍କୁ ଦିନରେ ତାରା ଦେଖାଇବା ନୁହେଁ କି ?

ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସମ୍ପର୍କରେ ଚିଫ୍‌ ଜଷ୍ଟିସ୍‌ ଅଫ୍‌ ଓଡ଼ିଶା ଏବଂ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିଠିରୁ ସାମ୍ନାକୁ ଆସିଛି ଏ ଦିଗରେ ରାଜ୍ୟ ସରକାରଙ୍କ ଗୁରୁତର ଅବହେଳା । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ କି ନାହିଁ ସେ ନେଇ ରିପୋର୍ଟ ଦେବାକୁ ଗଠନ ହୋଇଥିଲା ସିଆର୍‌ ପାଲ୍‌ କମିସନ । ଗୋଟିଏ ପଟେ କମିସନଙ୍କ ରିପୋର୍ଟ ପ୍ରଦାନ କରିନାହାନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଏହି ପ୍ରସଙ୍ଗରେ ସରକାର ନା ବିଧାନସଭା ଗୃହରେ ଭଲ ଭାବେ ଆଲୋଚନା କରିଛନ୍ତି ନା ଦୀର୍ଘ ଦିନ ଧରି ଦାବି କରିଆସୁଥିବା ସଂପୃକ୍ତ ଅଞ୍ଚଳବାସୀଙ୍କ ସହ କୌଣସି ସମ୍ବାଦ କରିବାକୁ ଚେଷ୍ଟା କରିଛନ୍ତି । ଏ ବାବଦରେ ସ୍ବର ଉଠାଇବା କଥା ନବ ବାବୁ । କିନ୍ତୁ ଏବେ ହଠାତ୍‌ ହାଇକୋର୍ଟ ବେଞ୍ଚକୁ ବାହାନା କରି ପଶ୍ଚିମ ଓଡ଼ିଶାର ନେତା ଭାବେ ନବ ଦାସ ନବୀନ ନିବାସ ପିଣ୍ଡା ଚଢ଼ିବା କେତେକ ସ୍ପଷ୍ଟ ଇସାରା କରୁଛି । ତାହା ହେଲା କହିଁପେ ନିଗାହେଁ, କହିଁପେ ନିଶାନା ।

ହଠାତ୍‌ ନବ ହାତ ଛାଡ଼ି ଶଙ୍ଖ ଧରିଲେ ନିର୍ବାଚନ ପୂର୍ବରୁ ଭାବମୂର୍ତ୍ତି ଉପରେ ଆଞ୍ଚ ଆସିବ । ତେଣୁ ହଠାତ୍‌ ଝଟ୍‌କା ନ ଦେଇ ତାଙ୍କୁ ସମର୍ଥକଙ୍କୁ, ଗଣମାଧ୍ୟମକୁ, ରାଜନୈତିକ ବିଶ୍ଳେଷକ, ସମାଲୋଚକଙ୍କୁ ଧୀରେ ଧୀରେ ତାଙ୍କର ପରିବର୍ତ୍ତିତ କାର୍ଯ୍ୟଧାରା ବାବଦରେ ସହଜ କରାଇବା । ଏହା ନବ ଦାସଙ୍କର ବିଜେଡିରେ ମିଶିବା ନେଇ ଏ ସବୁ ବର୍ଗଙ୍କୁ ମାନସିକ ତରରେ ପ୍ରସ୍ତୁତ ହେବାକୁ ଇସାରା ନୁହେଁ ତ ଆଉ କ’ଣ ?

ଏ ଯାଏଁ ବିରୋଧୀ ଦଳର ଯେଉଁ ନେତାମାନେ ବିଜେଡିରେ ଯୋଗ ଦେଇଛନ୍ତି, ଅଧିକାଂଶ ନବୀନ ନିବାସରେ ହିଁ ଶଙ୍ଖ ଧରିଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ, ନବୀନ ବାବୁ ନିଜ ଦୁଆର ମାଟି ମଡ଼ାଇ ଦେଖିବାକୁ ଚାହାନ୍ତି ମିଶୁଥିବା ବିରୋଧୀ ନେତାଙ୍କର ତାଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଭାବ ଅଛି କି ନାହିଁ ।

କିଛି ଦିନ ତଳେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ପୁରୁଖା ନେତାଙ୍କ କ୍ଷେତ୍ରରେ ବି ଏମିତି ଦେଖିବାକୁ ମିଳିଥିଲା । ବିରୋଧୀ ନେତା ନବୀନ ନିବାସ ଆସିବା ତାଙ୍କୁ ମୁଖିଆଙ୍କର ସ୍ବୀକାରୋକ୍ତି ଓ ସେ ମୁଖିଆଙ୍କ ନେତୃତ୍ବକୁ ସ୍ବୀକାର କରିବାର ପ୍ରମାଣ ହିସାବରେ ଦେଖାଯାଏ । ଅର୍ଥାତ୍‌ ନବ ଦାସ ଅଞ୍ଚଳ ସ୍ବାର୍ଥ ବାହାନାରେ ନବୀନ ନିବାସ ଯିବା ଏମିତି କିଛି ଦର୍ଶାଇପାରେ ତାହା ହେଲା କଥା ଛିଡ଼ିଲା, ବାକି ରହିଲା ବରଣମାଳା !

Related Posts