ଏପ୍ରିଲ ମାସକୁ ଦଳିତ ଇତିହାସ ମାସର ମାନ୍ୟତା ଦେଲା କାନାଡାର ବ୍ରିଟିଶ କଲମ୍ବିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏପ୍ରିଲ ମାସକୁ ଦଳିତ ଇତିହାସ ମାସର ମାନ୍ୟତା ଦେଲା କାନାଡାର ବି୍ରଟିଶ କଲମ୍ବିଆ । ତେବେ ଐତିହାସିକା ପଦକ୍ଷେପରେ କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ନ୍ୟୁ ଡେମୋକ୍ରାଟିକ୍ ପାର୍ଟି ସରକାର ଏପ୍ରିଲକୁ ‘ଦଲିତ ଇତିହାସ’ ମାସ ଭାବରେ ମାନ୍ୟତା ଦେଇଛନ୍ତି। ଦଳିତ କିମ୍ବା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଇତିହାସରେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ତଥା ଘଟଣାଗୁଡ଼ିକୁ ମନେ ରଖିବା ପାଇଁ ଦଲିତ ଇତିହାସ ମହୋତ୍ସବ ପ୍ରତିବର୍ଷ ପାଳନ କରାଯାଏ । ସେପଟେ ଭାରତର ସମ୍ବିଧାନର ଜନକ ବି.ଆର୍ ଆମ୍ବେଦକରଙ୍କ ଅନୁଗାମୀମାନଙ୍କ ଦ୍ୱାରା ବିଶ୍ବବ୍ୟାପୀ ଦଳିତ ମାସ ପାଳନ କରନ୍ତି।

ବ୍ରିଟିଶ କଲମ୍ବିଆ ସରକାର କହିଛନ୍ତି ଯେ ବର୍ଣ୍ଣଭେଦଦ୍ବାରା ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି କରାଯାଉଥିବା ବିଭେଦତା ଏବଂ ଆଦିମ ଜନଜାତିଙ୍କୁ ବିଚାର ଦେବା ସହିତ ସମସ୍ତଙ୍କ ପାଇଁ ସମାନତା ଆଣିବା ଉଦ୍ୟମକୁ ସ୍ବୀକୃତି ଦେଇ ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼େଇ କରିବା ଲାଗି ସରକାର ଏହି ମାସଟିକୁ ପାଳନ କରୁଛନ୍ତି। ଏ ସଂକ୍ରାନ୍ତରେ ବିବୃତି ଦେଇ ସରକାର କହିଛନ୍ତି, ଦଳିତ ସମ୍ପ୍ରଦାୟମାନଙ୍କ ପାଇଁ ଏପ୍ରିଲ୍ ଗୋଟାଏ ଗୁରୁତ୍ବପୂର୍ଣ୍ଣ ମାସ। ଏହି ମାସରେ ମହାନ୍ ଦଳିତ ନେତା ଓ ସମାଜ ସଂସ୍କାରକମାନଙ୍କର ଜନ୍ମ ଓ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବି.ଆର୍. ଅମ୍ବେଦକର, ଜ୍ୟୋତିରାଓ ଫୁଲେ, ମଙ୍ଗୁ ରାମ ଗୁଗୋୱାଲିଆ ଏବଂ ଶାନ୍ତା ରାମ ଉଦାସି ଭଳି ମହାନ୍ ନେତା ଓ ସମାଜ ସଂସ୍କାରକ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହାର ଚର୍ଚ୍ଚା ଜୋର ଧରିଛି ।

Related Posts