ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କର ଏକ ଲୋକାଭିମୁଖୀ ଯୋଜନା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) । ସାଧାରଣ ଗରିବ ଲୋକଟେ ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଯୋଜନାଟି ଭଗବାନଙ୍କ ଆର୍ଶବାଦ ସଦୃଶ ହୋଇଛି । ତେବେ କିଛି କ୍ଷେତ୍ରରେ ଜାଲ୍ ଅନୁଷ୍ଠାନ, ଦଲାଲଙ୍କ ସହ ସରକାରୀ ଅଧିକାରୀ ମାନେ ମିଳିମିଶି ଯୋଜନାକୁ ବାଟମାରଣା କରୁଛନ୍ତି । ହିତାଧିକାରଙ୍କ ନାଁରେ ରାଜକୋଷରୁ ଟଙ୍କା ହରିଲୁଟ୍ ହେଉଛି ।

କଟକର ସାଉଥ୍ ପଏଣ୍ଟ ହସ୍ପିଟାଲ ମାଲିକ କିଭଳି ଦଲାଲ ଓ ସୁରକ୍ଷା କର୍ମୀଙ୍କୁ ଲଗାଇ ସରକାରୀ ଅର୍ଥ ଲୁଟି ଚାଲିଥିଲେ ସେହି ତଥ୍ୟ ସାମନାକୁ ଆସିଛି । ଯୋଜନା ସମ୍ପର୍କରେ ଜାଣି ନ ଥିବା ସୁସ୍ଥ ଲୋକଙ୍କୁ ଫସାଇ ୨ ହଜାର ଟଙ୍କାରେ ବିଏସକେୱାଇ କାର୍ଡ ହାତେଇ ନେଉଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । କାର୍ଡଧାରୀଙ୍କ ମିଛ ରୋଗ ଦର୍ଶାଇ ସେମାନେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା ଦର୍ଶାଯାଉଥିଲା । ରୋଗୀର ମିଛ ହସ୍ପିଟାଲ୍ ବିବରଣୀ ପ୍ରସ୍ତୁତ କରାଯାଉଥିଲା । ଉକ୍ତ କାର୍ଡ ବ୍ୟବହାର କରି ରାଜ୍ୟ ରାଜକୋଷରୁ ନର୍ସିଂହୋମ୍ କର୍ତ୍ତୃପକ୍ଷ ଟଙ୍କା ଉଠାଇ ନେଉଥିଲେ ।

୫ ହସ୍ପିଟାଲ କର୍ମଚାରୀ ଗିରଫ

କଟକ ଖାନ ନଗରସ୍ଥିତ ସାଉଥ ପଏଣ୍ଟ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମହା ଘୋଟଲା ହୋଇଥିବା ଅଭିଯୋଗ ଆସିବା ପରେ ୫ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସୁସ୍ଥ ଲୋକଙ୍କୁ ହସ୍ପିଟାଲରେ ଆଡମିଶନ କରାଇ ହସ୍ପିଟାଲ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଥିଲା । ଏନେଇ ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଏହି ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ ଆଧାର କାର୍ଡଧାରୀଙ୍କୁ ୨ହଜାର ଟଙ୍କା ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । କେବଳ କାଗଜପତ୍ରରେ ରୋଗୀ ଚିକିତ୍ସା କରାଇ ସରକାରଙ୍କଠାରୁ ଲକ୍ଷଲକ୍ଷ ବିଲ୍‌କରି ସାଉଥ ପଏଣ୍ଟ ହସ୍ପିଟାଲ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ୪୨ ମୌଜା ଅଞ୍ଚଳର କିଛି ବିଜୁସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏଭଳି କରୁଥିଲେ ମୁନଫାଖୋର ସ୍ୱାସ୍ଥ୍ୟ ବ୍ୟବସାୟୀ । ଏହି ଘୋଟଲାରେ ସାମିଲ ଥିବା ୫ ଜଣ ହସ୍ପିଟାଲ କର୍ମଚାରୀଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ ।

ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟନୁଷ୍ଠାନ

ବିଏସକେୱାଇରେ ଜାଲିଆତି ଘଟଣାକୁ ସ୍ୱାସ୍ଥ୍ୟ ବିଭାଗର ନୂତନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଗୁରୁତର ସହ ଗ୍ରହଣ କରିଛନ୍ତି । କଟକସ୍ଥିତ ସାଉଥ୍ ପଏଣ୍ଟ ହସ୍ପିଟାଲ୍ ଜାଲିଆତି ଘଟଣାର ତଦନ୍ତ ସରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଡାକ୍ତରଖାନାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ୍ ଦିଆଯାଇଥିବା ବେଳେ ଏଠାରେ ନିୟୋଜିତ ସମସ୍ତ ସ୍ବାସ୍ଥ୍ୟମିତ୍ର ମାନଙ୍କୁ କାର୍ଯ୍ୟ ନିବୃତ୍ତ କରାଯାଇଛି। ଏହାସହିତ ଏଠାରେ ବିଏସକେୱାଇ ଅଧୀନରେ ଚିକିତ୍ସାଧୀନ ଥିବା ସମସ୍ତ ରୋଗୀଙ୍କୁ ଅନ୍ୟ ସରକାରୀ କିମ୍ବା ବେସରକାରୀ ବିଏସକେୱାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ କଟକ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଏହାସହିତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ଅତୀତରେ ଏହି ଡ଼ାକ୍ତରଖାନାରୁ ବିଏସକେୱାଇ ଯୋଜନାର ଲାଭ ଉଠାଇଥିବା ଅନ୍ୟ ରୋଗୀ ମାନଙ୍କଠାରୁ ଫୋନ୍ ଯୋଗେ ସେମାନଙ୍କ ମତାମତ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ କଟକର ସାଉଥ୍ ପଏଣ୍ଟ ହସ୍ପିଟାଲ କେବଳ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏଭଳି ଏକାଧିକ ଅଭିଯୋଗ ଆସିଛି । ତେବେ କେବଳ ଅଯୋଗ୍ୟ ହସ୍ପିଟାଲ୍ ମାଲିକଙ୍କୁ ଏଥିପାଇଁ ଦାୟୀ କରାଗଲେ ହେବନି । ସ୍ୱାସ୍ଥ୍ୟ ବିଭାଗର ଅସାଧୁ ଅଧିକାରୀଙ୍କ ସହ ବିନା ସଲାସୁତୁରାରେ ବିଏସକେୱାଇ ଯୋଜନାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହେବା ସମ୍ଭବ ନୁହେଁ ।

ସୂଚନାଥାଉକି, ବିଏସକେୱାଇ ଯୋଜନାରେ କେଉଁ ଘରୋଇ ହସ୍ପିଟାଲ୍ କୁ ତାଲିକାଭୁକ୍ତ କରାଯିବ ତାହାର ନିଷ୍ପତ୍ତି ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ଓଡ଼ିଶା ହେଲଥ୍ ଆସୁ୍ୟରାନ୍ସ ସୋସାଇଟି ଉପରେ ନ୍ୟସ୍ତ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ପୂରଣ କରୁଥିଲେ ଆବେଦନକାରୀ ହସ୍ପିଟାଲକୁ ଏହି କମିଟି ଅନୁମୋଦନରେ ହିଁ ତାଲିକାଭୁକ୍ତ କରାଯାଏ । ବିଏସକେୱାଇ ପ୍ରଚଳନ ଦିନଠାରୁ ଅତିରକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ରାଜ୍ୟ ନୋଡାଲ୍ ଅଫିସର ଦାୟିତ୍ୱରେ ଅଛନ୍ତି । ବିଏସକେୱାଇ ଦାୟିତ୍ୱ ସାଙ୍ଗକୁ ଗ୍ରାମାଞ୍ଚଳ ଡାକ୍ତରମାନଙ୍କ ପୋଷ୍ଟିଂ, ପ୍ରମୋସନ୍ ଏବଂ ଟ୍ରାନସଫର୍ ମଧ୍ୟ ତାଙ୍କ ଦାୟିତ୍ୱରେ ରହିଛି ।

ତେବେ ଏଠାରେ ପ୍ରଶ୍ନ ହେଉଛି, ବିଏସକେୱାଇ ଭଳି ଏତେ ବଡ଼ ଯୋଜନାର ଏତେ ସ୍ୱଚ୍ଛ ବ୍ୟବସ୍ଥା ସତ୍ତ୍ୱେ ଏହା ଭିତରକୁ ଜାଲ୍ ହସ୍ପିଟାଲ୍ ପଶୁଛନ୍ତି କେମିତି ? ସରକାରୀ ଅଧିକାରୀଙ୍କ ସହ ବିନା ସଲାସୁତୁରାରେ ଏହା ସମ୍ଭବ ହୋଇପାରିବ କି? ଯୋଗ୍ୟତାର ମାପକାଠିକୁ ସଂପୃକ୍ତ ବାବୁମାନେ ଦଳିମକଚି ଦେଉନାହାନ୍ତି କି? ସେମାନଙ୍କ ବିରୋଧରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ନୁହେଁ କି? ସେହିଭଳି ବିଏସକେୱାଇ ଯୋଜନାରେ ହିତାଧିକାରୀ କେମିତି ସୁବିଧାରେ ଚିକିତ୍ସା ପାଇବେ ସେଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟମିତ୍ରଙ୍କୁ ନିଯୁକ୍ତ କରିଛନ୍ତି । ମାତ୍ର ବିନା ରୋଗୀରେ କାର୍ଡ ସ୍ୱାଇପ୍ ସମ୍ପର୍କରେ ସ୍ୱାସ୍ଥ୍ୟ ମିତ୍ର କେମିତି ଜାଣିପାରୁନାହାନ୍ତି? କେବଳ କଟକରେ ଏଭଳି ୧୪ ଟି ଘଟଣା ସାମନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, କଟକ ସହରରେ ୬୦ଟି ହସ୍ପିଟାଲ୍ ଏହି ଯୋଜନାରେ ଅନୁବନ୍ଧିତ ହୋଇଛି । ମାସକୁ ହାରାହାରି ୨୦ କୋଟିରୁ ଅଧିକ ଟଙ୍କା ଏହି ଯୋଜନାରୁ ଉଠାଯାଉଛି । କଟକରେ କେବଳ ଗ୍ରାମାଞ୍ଚଳର ୪୧ଟି ହସ୍ପିଟାଲ୍ ରେ ମାସକୁ ୯ କୋଟି ଟଙ୍କା ହିତାଧିକାରୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି । ଏଥିରୁ ହଡ଼ପ ଟଙ୍କା କେତେ ତାହାର ତଦନ୍ତ ପାଇଁ ସବୁ ମହଲରୁ ଦାବି ହେଉଛି ।

ବିଏସକେୱାଇ ଯୋଜନାରେ ଟଙ୍କା ହଡ଼ପକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନାର ସଫଳତା ନେଇ ଗତକାଲି ଏକ ପ୍ରେସ୍ ନୋଟ ଦିଆଯାଇଛି । ଏଥିରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧ ବର୍ଷରେ ୧.୨୬ ଲୋକ ଲୋକ ସୁପର ସ୍ପେଶାଲିଟି ଚିକିତ୍ସା ଓ ଔଷଧ ସମ୍ପୂର୍ଣ୍ଣ ମାଗଣା ପାଇଥିଲେ । ୨୦୨୨ ବର୍ଷରେ ଏହି ସଂଖ୍ୟା ୬.୪୫ ଲକ୍ଷକୁ ବୃଦ୍ଧି ପାଇଛି । ପ୍ରାୟ ୪୧୩ ପ୍ରତିଶ୍ରତ ଅଭିବୃଦ୍ଧି ବୋଲି କୁହାଯାଇଛି । ୨୦୨୧ ମସିହାରେ ଦେୟମୁକ୍ତ ଚିକିତ୍ସା ବାବଦକୁ ରାଜ୍ୟ ସରକାର ପ୍ରାୟ ୨୨୪.୮୭ କୋଟି ଟଙ୍କାର ବିଲ୍ ଘରୋଇ ହସ୍ପିଟାଲଗୁଡ଼ିକୁ ପୈଠ କରିଥିଲେ । ୨୦୨୨ ମସିହାରେ ଏହା ୧୪୫୬.୪୨ କୋଟିକୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ତାଲିକାଭୁକ୍ତ ହସ୍ପିଟାଲ୍ ସଂଖ୍ୟାରେ ମଧ୍ୟ ୩୩୩ ପ୍ରତିଶତ ବୃଦ୍ଧି ହୋଇଛି ।