ୟୁପି ନିର୍ବାଚନରେ ସବର୍ଣ୍ଣ ଭୋଟ ହାତେଇବା ପାଇଁ ଅଯୋଧ୍ୟାରେ ୨୩ ରୁ ୨୯ ବ୍ରାହ୍ମଣ ସମ୍ମିଳନୀ କରିବ ବିଏସପି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୟୁପି ବିଧାନସଭା ନିର୍ବାଚନକୁ ବର୍ଷେରୁ କମ୍ ସମୟ ବାକି ଅଛି। ଏହା ପୂର୍ବରୁ ଆରମ୍ଭ ହୋଇଛି ଜାତି ପଲିଟିକ୍ସ। ପଞ୍ଚାୟତ ନିର୍ବାଚନରେ ବିଜେପି ଏବଂ ସମାଜବାଦୀ ପାର୍ଟି ମୁହାଁ ମୁହିଁ ଲଢୁଛନ୍ତି ।  ତେବେ ବିଏସପିକୁ ନେଇ ଭୋଟରମାନେ ସନ୍ଦେହ କରୁଛନ୍ତି।  ସେପଟେ ଦଳର ସୁପ୍ରିମୋ ମାୟାବତୀ ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଘୋଷଣା କରିଦେଇଛନ୍ତି। ତାଙ୍କ ଭୋଟ୍ ବ୍ୟାଙ୍କ ବୃଦ୍ଧି କରିବାକୁ ମାୟାବତୀ ଏଥର ୨୩ ରୁ ୨୯ ଜୁଲାଇ ପର୍ଯ୍ୟନ୍ତ ଏକ ବ୍ରାହ୍ମଣ ସମ୍ମିଳନୀ କରିବାକୁ ଯାଉଛନ୍ତି।

 କୁହାଯାଉଛି ଯେ ବିଏସପି ଏହି ସମ୍ମିଳନୀ ମାଧ୍ୟମରେ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିବ। ଏହି ସମ୍ମିଳନୀ ପାଇଁ ମାୟାବତୀଙ୍କ ଡାହାଣ ହାତ କୁହାଯାଉଥିବା ସତୀଶ ଚନ୍ଦ୍ର ମିଶ୍ରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ପୁଣି ୨୦୦୭ର ଫର୍ମୁଲାକୁ ଦୋହରାଇବାକୁ ଯାଉଛନ୍ତି ମାୟାବତୀ। ଏହି ଶୁକ୍ରବାର ଦିନ ମାୟାବତୀଙ୍କୁ ଭେଟିବା ପାଇଁ ବ୍ରାହ୍ମଣ ସମାଜର ୨୦୦ ବଡ ନେତା ଏବଂ କର୍ମୀଙ୍କୁ ଡକାଯାଇଥିଲା।  ସୂଚନା ମୁତାବକ ଏହି ବ୍ରାହ୍ମଣ ସମ୍ମିଳନୀ ପ୍ରସ୍ତୁତି ପାଇଁ ସତୀଶ ଚନ୍ଦ୍ର ମିଶ୍ର ଖୁବ ଶୀଘ୍ର ଅଯୋଧ୍ୟାରେ ପହଞ୍ଚିବେ ଏବଂ ମନ୍ଦିର ଦର୍ଶନ ସହିତ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ତାଙ୍କୁ ସମସ୍ତ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ବ୍ରାହ୍ମଣ ସମ୍ମିଳନୀ କରି ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବାର ଦାୟିତ୍ବ ଦିଆଯାଇଛି।

 ବ୍ରାହ୍ମଣ ସମାଜରେ ସତୀଶ ଚନ୍ଦ୍ର ମିଶ୍ରଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ମାୟାବତୀ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୦୭ ଏବଂ ୨୦୧୨ ମସିହାରେ ମାୟାବତୀ ତାଙ୍କୁ ବ୍ରାହ୍ମଣ ସମ୍ମିଳନୀ ମାଧ୍ୟମରେ ବ୍ରାହ୍ମଣ ସମାଜର ଭୋଟ ହାତେଇବାର ଦାୟିତ୍ବ ଦେଇଥିଲେ।  ଦଳର ଏସସି-ଏସଟି ଏବଂ ଓବିସି ଭୋଟ୍ ବ୍ୟାଙ୍କ ମାୟାବତୀଙ୍କ ସହ ରହିଛି। ତେବେ ଆସନ୍ତା ନିର୍ବାଚନରେ ​​ମାୟାବତୀ ଜିତିବାକୁ ଚେଷ୍ଟା କରୁଥିବା ବେଳେ ରାଜ୍ୟର ବ୍ରାହ୍ମଣ ଭୋଟ୍ ବ୍ୟାଙ୍କ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

 ମାୟାବତୀଙ୍କ ୨୦୦୭ ଫର୍ମୁଲା କ’ଣ ଥିଲା ?

 ମାୟାବତୀ ୨୦୦୭ ୟୁପି ନିର୍ବାଚନରେ ୪୦୩ ଟି ସିଟ୍ ମଧ୍ୟରୁ ୨୦୬ଟି ଜିତି ୩୦ ପ୍ରତିଶତ ଭୋଟ୍ ସହ ଦେଶର ରାଜନୀତି ଦୋହଲାଇ ଦେଇଥିଲେ।  BSP ୨୦୦୭ରେ ଦେଖାଇଥିବା ପ୍ରଦର୍ଶନ ହଠାତ୍ ଆସିଲା ନାହିଁ, ଏହା ଏକ ସୁଚିନ୍ତିତ ରଣନୀତି ଥିଲା। ନିର୍ବାଚନର ପ୍ରାୟ ଏକ ବର୍ଷ ପୂର୍ବରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଓବିସି,ଦଳିତ,ବ୍ରାହ୍ମ ଏବଂ ମୁସଲମାନମାନଙ୍କ ସହିତ ଏକ ସମ୍ପର୍କ ମଧ୍ୟ ସୃଷ୍ଟି କରିଥିଲେ ।

ବ୍ରାହ୍ମଣ ସମାଜ ବିଜେପି ଉପରେ ଅସନ୍ତୁଷ୍ଟ : ମାୟାବତୀ 

ମାୟାବତୀ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।  ଏଥିରେ ସଂସଦର ମୌସୁମୀ ଅଧିବେଶନ ପାଇଁ ବିରୋଧୀଙ୍କ ଏକତା ପାଇଁ ସେ ଆହ୍ବାନ କରିଥିଲେ। ମାୟାବତୀ କହିଛନ୍ତି ଯେ ଦରବୃଦ୍ଧି ଯୋଗୁଁ ଦେଶର ଲୋକମାନେ ଅସୁବିଧାରେ ଅଛନ୍ତି । ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକ ଜିନିଷର ଦରଦାମ୍ କେନ୍ଦ୍ର ସରକାର କ୍ରମାଗତ ଭାବେ ବୃଦ୍ଧି କରୁଛନ୍ତି।  ତେଣୁ ବିରୋଧୀ ସରକାରଙ୍କୁ ଘେରିବାକୁ ପଡ଼ିବ। ସେ ଯୋଗୀ ଆଦିତ୍ୟ ନାଥ ସରକାରଙ୍କ ଆଇନ ଶୃଙ୍ଖଳାକୁ ନେଇ ମଧ୍ୟ ଟାର୍ଗେଟ କରି ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଚ୍ଚ ଜାତିର ଲୋକମାନେ ମଧ୍ୟ ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି।  ମାୟାବତୀ କହିଛନ୍ତି ଯେ ବିଜେପି ସରକାରକୁ ନେଇ ବ୍ରାହ୍ମଣ ସମାଜ ଅତ୍ୟନ୍ତ ଅସନ୍ତୁଷ୍ଟ।

 ସେ କହିଛନ୍ତି ଯେ ବ୍ରାହ୍ମଣ ସମ୍ପ୍ରଦାୟ ବିଜେପି ନାମରେ ଆସି ଗତ ଥର ବହୁ ସଂଖ୍ୟାରେ ଭୋଟ୍ ଦେଇଥିଲା। କିନ୍ତୁ ମୁଁ ନିଶ୍ଚିତ ଯେ ବର୍ତ୍ତମାନ ବ୍ରାହ୍ମଣ ସମାଜ ବିଜେପିକୁ ଭୋଟ୍ ଦେଇ ଆଉ ସେହି ଭୁଲ କରିବେ ନାହିଁ।  ବର୍ତ୍ତମାନ ଏହି ସମାଜ ଅନୁତାପ କରୁଛି। କିନ୍ତୁ ଏହି ଭୋଟ୍ ବ୍ୟାଙ୍କ ପାଇବାକୁ ବିଜେପି ବିଭିନ୍ନ କୌଶଳ ପ୍ରୟୋଗ କରିବ। ତେଣୁ ବ୍ରାହ୍ମଣ ସମାଜକୁ ସଚେତନ କରିବା ପାଇଁ ବିଏସପି ଚଳିତ ମାସ ଜୁଲାଇ ୨୩ ରୁ ଏକ ସମ୍ମିଳନୀ କରିବାକୁ ଯାଉଛି।

ଜୁଲାଇ ୨୩ରୁ ବିଏସପିର ବ୍ରାହ୍ମଣ ସମ୍ମିଳନୀ ଆରମ୍ଭ ହେବ। ଏହାକୁ ଅଯୋଧ୍ୟାରେ ଆୟୋଜନ କରାଯିବ। ସତୀଶ ମିଶ୍ର ଅଯୋଧ୍ୟାରେ ବ୍ରାହ୍ମଣକୁ ପ୍ରଥମେ ମନ୍ଦିର ଦର୍ଶନ କରାଇବା ସହ ଦଳର ବିଚାରଧାରାରେ ଯୋଡିବାକୁ ଚେଷ୍ଟା କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ସମ୍ମିଳନୀ ଜୁଲାଇ ୨୩ରୁ ୨୯ ତାରିଖ ଯାଏଁ ଚାଲିବ।

Related Posts