୨୦୨୦ରେ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ କରିବାକୁ ଚାହୁଁଥିଲେ ମୋଦୀ କିନ୍ତୁ ରାଜି ନଥିଲା ସଙ୍ଘ : ବିଜେପିର ଅନେକ ବଡ ନେତା ମଧ୍ୟ ରେଳ ମନ୍ତ୍ରୀଙ୍କ ବିଷୟରେ ଜାଣନ୍ତି ନାହିଁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସରେ ତାଙ୍କ କ୍ୟାବିନେଟରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏଥର ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ଅନେକ ନୂଆ ଚେହେରା ସ୍ଥାନ ପାଇଛନ୍ତି। ସେହିପରି ରବିଶଙ୍କର ପ୍ରସାଦ ପ୍ରକାଶ ଜାଭେଡକର ଏବଂ ହର୍ଷ ବର୍ଦ୍ଧନ ସିଂଙ୍କ ଭଳି ବଡ ବଡ ମନ୍ତ୍ରୀ ବାଦ୍ ପଡିଛନ୍ତି। ତେବେ ନୂଆ ଚେହେରାଙ୍କ ମଧ୍ୟରେ ଅଶ୍ୱିନୀ ବୈଷ୍ଣବଙ୍କ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତାଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

 ଏହାର କାରଣ ହେଉଛି ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ଜଣେ ପୂର୍ବତନ ଆଇଏଏସ୍ ଅଫିସର ଯିଏକି ୨୦୧୯ ମସିହାରେ ରାଜ୍ୟସଭାକୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ତାଙ୍କୁ ହଠାତ୍ ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲା ତାହା ପୁଣି ରାଜ୍ୟ ମନ୍ତ୍ରୀ ନୁହେଁ ବରଂ କ୍ୟାବିନେଟ ମନ୍ତ୍ରୀ କରାଗଲା । ତାଙ୍କୁ ଦୁଇଟି ପ୍ରମୁଖ ମନ୍ତ୍ରଣାଳୟ – ରେଳବାଇ ଏବଂ ଆଇଟି ବିଭାଗର ମନ୍ତ୍ରୀ କରାଯାଇଛି। ପୂର୍ବରୁ ପୀୟୁଷ ଗୋୟଲ ରେଳ ମନ୍ତ୍ରଣାଳୟ ଏବଂ ରବି ଶଙ୍କର ପ୍ରସାଦ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ତୁଲାଉଥିଲେ।  

  ଏଠାରେ ଜାଣିବା ଜରୁରୀ ଅଟେ ଯେ ଅଶ୍ବିନୀ ବୈଷ୍ଣବ ପିଏମ ମୋଦୀଙ୍କ ନଜରକୁ ଆସିଲେ କେମିତି।  କୁହାଯାଉଛି ଯେ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବିଜେପି ନେତାଙ୍କ ମଧ୍ୟରେ ଆଲୋଚନା ହେଉଥିଲା ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଭଳି କେହି ଜଣେ ଲାଟେରାଲ ଏଣ୍ଟ୍ରି ମାରି ପାରନ୍ତି। କିନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ ବିଷୟରେ କାହାରି ପାଖରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥିଲା। ଅନ୍ତତଃ ପକ୍ଷେ ତିନିଜଣ ବିଜେପି ନେତା କହିଛନ୍ତି ଯେ ସେମାନଙ୍କୁ ବୈଷ୍ଣବ ବିଷୟରେ କିଛି ଜଣା ନଥିଲା। 

 ବିଜେପି ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୨୦ ରେ ଯେତେବେଳେ କ୍ୟାବିନେଟ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହେଉଥିଲା ସେତେବେଳେ ମଧ୍ୟ ବୈଷ୍ଣବଙ୍କ ନାମକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା। ଅର୍ଥାତ୍ ମୋଦୀ ତାଙ୍କୁ ତାଙ୍କ କ୍ୟାବିନେଟରେ ରଖିବାକୁ ଆଗ୍ରହ ଦେଖାଇଥିଲେ।  କିନ୍ତୁ ବୈଷ୍ଣବଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ଆରଏସଏସ ବିରୋଧ କରିଥିଲା। ସଙ୍ଘର ଯୁକ୍ତି ଥିଲା ଯେ ଦଳୀୟ କର୍ମୀମାନେ କ୍ୟାବିନେଟରେ ଅଧିକ ପ୍ରାଥମିକତା ପାଇବା ଉଚିତ୍।  ତେବେ ବିଜେପି ନେତୃତ୍ୱ ସେତେବେଳେ ବୈଷ୍ଣବଙ୍କ ନାମରେ ଅଟକି ରହିଥିଲେ।

ଟେକ୍ନୋଲୋଜି ସହ ଜଡିତ ନୀତି ଉପରେ ମୋଦୀ ବୈଷ୍ଣବଙ୍କ ସାହାଯ୍ୟ ନେଉଥିଲେ: 

କୁହାଯାଏ ଯେ ଯେତେବେଳେ ମୋଦୀ ଗୁଜୁରାଟର ସିଏମ ଥିଲେ, ସେତେବେଳେ ସେ ଟେକ୍ନୋଲୋଜି ସହ ଜଡିତ ନୀତିରେ ଅଶ୍ୱିନୀ ବୈଷ୍ଣବଙ୍କ ସାହାଯ୍ୟ ନେଉଥିଲେ।  ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ମୋଦୀ ବୈଷ୍ଣବଙ୍କ ସହ ସମ୍ପର୍କରେ ଥିଲେ।

 କୁହାଯାଏ ଯେ ମୋଦୀଙ୍କ ସହ ତାଙ୍କର ଭଲ ସମ୍ପର୍କ ହେବାର ଅନ୍ୟତମ କାରଣ ହେଉଛି ସେ ଗୁଜୁରାଟୀ ଭାଷାରେ କଥାବାର୍ତ୍ତା କରିପାରନ୍ତି। ସେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କ ପରିବାର ଗୁଜୁରାଟର ଭବନଗରରୁ ବହୁ ପିଢି ପୂର୍ବରୁ ସେଠାରେ ପହଞ୍ଚିଥିଲେ।  ନବନିର୍ମିତ ଗାନ୍ଧିନଗର ରେଳ ଷ୍ଟେସନର ଉଦଘାଟନ ସମୟରେ ଗୁଜରାଟର ସିଏମ ବିଜୟ ରୁପାନି ଶୁକ୍ରବାର ଦିନ ଏହାର ଖୁଲାସା କରିଛନ୍ତି।

Related Posts