ଜଳୁଛି ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆରେ ଭୟଙ୍କର ରୂପ ଧାରଣ କରିଛି ଜଙ୍ଗଲୀ ନିଆଁ । ଜୀବଜନ୍ତୁ, ମଣିଷ କେହି ବାଦ ପଡ଼ିନାହାନ୍ତି ନିଆଁ ଧାସରୁ । ବର୍ତ୍ତମାନ ସୁଦ୍ଧା ୪୮ କୋଟି ଜଙ୍ଗଲୀ ଜୀବଜନ୍ତୁଙ୍କ ମୃତ୍ୟୁ ହେଲାଣି । ସିଡନୀ ବିଶ୍ବବିଦ୍ୟାଳୟ ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ଆହୁରି ଅଧିକ ହେବ । ବହୁ ବିରଳ ପ୍ରଜାତିର ଜୀବଜନ୍ତୁ ବଳି ପଡ଼ିଛନ୍ତି । ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଘର ପୋଡ଼ି ପାଉଁଶ ହୋଇଯାଇଛି । କେବଳ ନ୍ୟୁ ସାଉଥ ୱେଲ୍ସରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣ ଭିକ୍ଟୋରିଆରେ ପ୍ରାଣ ହରାଇଥିବା ବେଳେ ଦକ୍ଷିଣ ଅଷ୍ଟ୍ରେଲିଆରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଛାରଖାର ହୋଇଯାଇଛି କଂଗାରୁ ଆଇଲ୍ୟାଣ୍ଡ । ସୋମବାର ଇଡେନ ଉପକୂଳରୁ ପ୍ରାୟ ୫ ହଜାର ଲୋକଙ୍କୁ ନୌସେନା ସୁରକ୍ଷିତ ସ୍ଥାନାନ୍ତର କରିଛି ।

ନିଆଁ ଓ ଧୂଆଁରେ ଅଣନିଶ୍ବାସୀ ଅଷ୍ଟ୍ରେଲିଆ ବାସିନ୍ଦା । ପରିସ୍ଥିତି ଏପରି ହୋଇଛି ନିଶ୍ବାସ ନେବା ବି କଷ୍ଟକର ହୋଇପଡ଼ୁଛି । ୩ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ଦିନରାତି ସଂଘର୍ଷ କରୁଛନ୍ତି, ତଥାପି ଆୟତ୍ତ ହେଉନି ନିଆଁ । ଏପରିକି ନିଆଁ ଲିଭାଇବା ପାଇଁ ସେନାକୁ ନିୟୋଜିତ କରିଛନ୍ତି ଅଷ୍ଟ୍ରେଲିଆ ସରକାର । ସ୍ଥଳ, ଜଳ ଓ ବାୟୁ ସେନାର ସହାୟତା ନିଆଯାଇଛି । ୩ ହଜାରରୁ ଅଧିକ ଯବାନ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି । ହେଲିକପ୍ଟରରେ ଆକାଶରୁ ପାଣି ବର୍ଷା କରାଯାଉଛି, ତଥାପି ଲିଭୁନି ଜଙ୍ଗଲ ନିଆଁ । ନୌସେନା ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ କେତେକ ଜାହାଜ ମୁତୟନ କରାଯାଇଛି ।

ସୋମବାର ନ୍ୟୁ ସାଉଥ ୱେଲସରେ ୧୩୬ଟି ସ୍ଥାନରେ ନିଆଁ ଜଳୁଥିବା ଦେଖାଯାଇଛି । ୬ଟି ରାଜ୍ୟର ୧୪.୭ ମିଲିୟନ ଅଞ୍ଚଳ ଏବେ ନିଆଁ ଘେରରେ । … ପରିବେଶ ଉପରେ ମଧ୍ୟ ଏହା ରଭୀର ପ୍ରଭାବ ପଡ଼ିଛି । ନ୍ୟୁ ସାଉଥ ୱେଲସରେ ୧୧ ଗୁଣା ବଢିଯାଇଛି ବାୟୁ ପ୍ରଦୂଷଣର ମାତ୍ରା । ଲୋହିତ ବର୍ଣ୍ଣ ଧାରଣ କରିଛି ଅଷ୍ଟ୍ରେଲିଆର ଆକାଶ । ରାଜଧାନୀ କାନବେରାରେ ୩୪୦ AQi ପାର କରିଛି ବାୟୁ ପ୍ରଦୂଷଣର ମାତ୍ରା । ଲୋକମାନେ ଭୟରେ ସହର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଉଥିବା ଦେଖିବାକୁ ମିଳିଛି । ଧୁଆଁ ଯୋଗୁଁ ସୋମବାର କାନବେରା ନ୍ୟାସନାଲ ଗ୍ୟାଲେରୀ ବନ୍ଦ କିବାକୁ ପଡ଼ିଥିଲା । ଜଙ୍ଗଲ ନିଆଁରେ 1,300 ହଜାରରୁ ଅଧିକ ଘର ନଷ୍ଟ ହୋଇଥିବା ଆକଳନ କରାଯାଇଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ ପୁନଃନିର୍ମାଣ ଓ ଥଇଥାନ ପାଇଁ ୧.୩୯ ବିଲିୟନ ଡଲାର ସହାୟତା ଘୋଷଣା କରିଛନ୍ତି ।
ପ୍ରତିବର୍ଷ ଖରା ଦିନେ ଅଷ୍ଟ୍ରେଲିଆର ଜଙ୍ଗଲରେ ନିଆଁ ଲାଗିଥାଏ । ଏଥିପାଇଁ ପ୍ରକୃତି ଯେତିକି ଦାୟୀ, ମଣିଷ ତାଠୁ ଅଧିକ ଦାୟୀ । ନିଆଁ ଲଗାଇବା ଅଭିଯୋଗରେ ଅଷ୍ଟ୍ରେଲିଆନ ପୋଲିସ ୧୮୩ ଜଣଙ୍କ ବିରୋଧରେ ଗ୍ରହଣ କରିଛି କାର୍ଯ୍ୟାନୁଷ୍ଠାନ ।
ଅଗ୍ନିଶମ ବାହିନୀ ପାଇଁ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଥିଲେ ବି ନିଆଁ ଲିଭାଇବା ପାଇଁ ଏହା ଯଥେଷ୍ଟ ନୁହେଁ ।

Related Posts