
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସକୁ ବଡ଼ ଝଟକା । ସମାଜବାଦୀ ପାର୍ଟିର ସମର୍ଥନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ରାଜ୍ୟସଭାକୁ ଯିବେ। ସେ ଏଥିପାଇଁ ଏକ ନିରପେକ୍ଷ ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି। ସେପଟେ ସିବଲ ୧୬ ମଇରେ କଂଗ୍ରେସ ଦଳ ଛାଡ଼ିଥିବାର ସୂନଚା ମିଳିଛି । ରାଜ୍ୟସଭା ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ପରେ ସିବଲ କହିଛନ୍ତି ଯେ ଆମେ ବିରୋଧୀ ଦଳରେ ରହି ଏକ ମେଣ୍ଟ ଗଠନ କରିବାକୁ ଚାହୁଁଛୁ । ଯାହାଫଳରେ ଆମେ ମୋଦୀ ସରକାରଙ୍କୁ ବିରୋଧ କରି ପାରିବୁ । ଆମେ ଚାହୁଁ ଯେ ୨୦୨୪ ମସିହାରେ ଭାରତରେ ଏଭଳି ପରିବେଶ ସୃଷ୍ଟି ହେବା ଉଚିତ ଯାହା ଦ୍ୱାରା ମୋଦୀ ସରକାରଙ୍କ ତ୍ରୁଟି ଲୋକଙ୍କ ନିକଟରେ ପହଞ୍ଚିପାରିବ। ମୁଁ ଏଥିପାଇଁ ଚେଷ୍ଟା କରିବି ବୋଲି କପିଲ ସିବଲ କହିଛନ୍ତି ।
ଅନ୍ୟପଟେ ସିବଲ କଂଗ୍ରେସ ଛାଡିବା ଏବଂ ସମାଜବାଦୀ ପାର୍ଟିର ନିକଟତର ହେବା ନେଇ ଅନେକ ଆଲୋଚନା ଆରମ୍ଭ ହୋଇଛି। ପ୍ରଶ୍ନ ଉଠିଛି ଯେ ସିବଲ କାହିଁକି କଂଗ୍ରେସ ଛାଡି ସମାଜବାଦୀ ପାର୍ଟିର ନିକଟତର ହୋଇଥିଲେ? କେଉଁ ଦଳରୁ ତାଙ୍କ ପାଇଁ ଅଫର ଆସିଥିଲା ? ସେପଟେ କପିଲ ସିବଲଙ୍କ ରାଜ୍ୟସଭା ପ୍ରାର୍ଥୀତା ଉପରେ ଅଖିଳେଶ ଯାଦବ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କପିଲ ସିବଲ ଏସପିଙ୍କ ସମର୍ଥନରେ ରାଜ୍ୟସଭା ନିର୍ବାଚନରେ ଯାଉଛନ୍ତି। ସେ ଜଣେ ବରିଷ୍ଠ ଓକିଲ ରହିଛନ୍ତି। ସେ ଲୋକସଭା ଓ ରାଜ୍ୟସଭାରେ ବହୁତ ଭଲ ପ୍ରସଙ୍ଗ ଉଠାଇଛନ୍ତି। ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟ ଭଲ ହୋଇଛି। ସେ ଖୋଲାଖୋଲି ଭାବେ ଅନେକ ପ୍ରସଙ୍ଗ ଉଠାଇବେ ବୋଲି ଅଖିଳେଶ ଯାଦବ କହିଛନ୍ତି ।
କଂଗ୍ରେସ ଉପରେ ସିବଲ କାହିଁକି ରାଗିଛନ୍ତି?
ଦୀର୍ଘ ଦିନ ଧରି କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ପ ଉଠାଇ ଆସୁଥିଲେ । କଂଗ୍ରେସ ଉପରେ କ୍ରୋଧିତ ନେତାଙ୍କ ଜି -୨୩ ଦଳର ଏକ ଅଂଶ ମଧ୍ୟ ସିବଲ ଥିଲେ । କ୍ରମାଗତ ନିର୍ବାଚନରେ ପରାଜୟ ପାଇଁ ସେ କଂଗ୍ରେସ ନେତୃତ୍ୱକୁ ମଧ୍ୟ ଦାୟୀ କରିଛନ୍ତି। ତେବେ ଦଳ ଛାଡିବା ପରେ ସେ କଂଗ୍ରେସ ଉପରେ କିଛି କହିବାକୁ ମନା କରି ଦେଇଛନ୍ତି। ସିବଲ କହିଛନ୍ତି, ‘ଯେପର୍ୟ୍ୟନ୍ତ ମୁଁ କଂଗ୍ରେସରେ ଥିଲି ଦଳ ପାଇଁ କହୁଥିଲି ହେଲେ ମୁଁ ବର୍ତ୍ତମାନ ଦଳରେ ନାହିଁ । ତେଣୁ କିଛି କହିବା ଠିକ ନୁହେଁ ବୋଲି କପିଲ ସିବଲ କହିଛନ୍ତି ।