ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଶପଥ ନେଲେ ସି.ଭି. ଆନନ୍ଦ ବୋଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ସି.ଭି. ଆନନ୍ଦ ବୋଷ । କୋଲ୍‌କାତାସ୍ଥିତ ରାଜଭବନରେ ତାଙ୍କୁ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଶପଥ ପାଠ କରାଇଛନ୍ତି।

ଏହି ଶପଥ ଗ୍ରହଣ ସମାରୋହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ କ୍ୟାବିନେଟ୍‌ର ସଦସ୍ୟ, ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ, ବାମ ସାମ୍ମୁଖ୍ୟର ଅଧ୍ୟକ୍ଷ ବିମାନ ବୋଷ ପ୍ରଭୃତି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ମାତ୍ର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏହି ଶପଥ ଗ୍ରହଣ ଉତ୍ସବରେ ଅନୁପସ୍ଥିତ ଥିଲେ।

ତେବେ ଶୁଭେନ୍ଦୁଙ୍କ ଅନୁପସ୍ଥିତି ଏବେ ବିବାଦର କାରଣ ହୋଇଛି। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ଆସନ ଅବ୍ୟବସ୍ଥା ହୋଇଥିବା କଥା ଶୁଭେନ୍ଦୁ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ୨୦୨୧ ବିଧାନସଭା ନିର୍ବାଚନ ପରେ ‘ବିଜେପି’ ଛାଡ଼ି ତୃଣମୂଳ କଂଗ୍ରେସରେ ମିଶିଥିବା ଦୁଇଜଣ ନେତାଙ୍କ ନିକଟରେ ତାଙ୍କ ପାଇଁ ଆସନ ବ୍ୟବସ୍ଥା କରାଯାଇଥିଲା। ଯାହାକୁ ନେଇ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୮ ତାରିଖରେ ପଶ୍ଚିମବଙ୍ଗର ତତ୍କାଳୀନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ‌ହୋଇଯିବା ପରେ ମଣିପୁର ରାଜ୍ୟପାଳ ଲା. ଗଣେଶନ୍‌ ପଶ୍ଚିମବଙ୍ଗ ରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିଥିଲେ। ଆଜି ବୋଷ ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୭୭ ବ୍ୟାଚ୍‌ ‘ଭାରତୀୟ ପ୍ରଶାସନିକ ସେବା’ର ପୂର୍ବତନ ଅଧିକାରୀ ବୋଷ ଭାରତ ସରକାରଙ୍କ ସଚିବ ଏବଂ ରାଜ୍ୟ ସରକାରଙ୍କର ସଚିବ ଓ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି।

Related Posts