(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡ଼ିଶାରେ ଅବଧି ଶେଷ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକୁ ରଦ୍ଦ ଓ ବୈଦ୍ୟୁତିକ ମୋଟରଯାନ କିଣିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ‘ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧’କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଅବା ବ୍ୟାଟେରୀ ଚାଳିତ ମୋଟରଯାନ ଚଳାଚଳ କରିବାକୁ ଏହି ନୀତିରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।
ଯାହା ଦ୍ୱାରା ବୈଦ୍ୟୁତିକ ଯାନ ଓ ଏହାର ଯନ୍ତ୍ରାଂଶ ଏବଂ ବ୍ୟାଟେରୀ ଉତ୍ପାଦନନକାରୀ ଉଦ୍ୟୋଗମାନଙ୍କୁ ଉତ୍ସାହିତ କରିବା ସହିତ ଏ କ୍ଷେତ୍ରରେ ନବୀନକରଣ ଓ ଗବେଷଣାକୁ ପ୍ରୋତ୍ସାହନ ଦେବାପାଇଁ ବ୍ୟବସ୍ଥା କରାଯାଇଛି ।
ଏହି ନୀତି ଆଧାରରେ ଉତ୍ପାଦନକାରୀ କମ୍ପାନୀ, ଯାନ ବ୍ୟବହାରକାରୀ ଲୋକଙ୍କୁ ଆର୍ଥିକ ରିହାତି ଦେବା ସହିତ ଗାଡି ପଞ୍ଜିକରଣ ଦେୟ ଓ ରୋଡ ଟ୍ୟାକ୍ସ ଛାଡ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ଏତଦ୍ ବ୍ୟତୀତ ପୁରୁଣା ଗାଡି ଗୁଡିକୁ ସ୍କ୍ରାପ କରିବାପାଇଁ ପ୍ରୋତ୍ସାହନ ଓ ବୈଦ୍ୟୁତିକ ଗାଡି କିଣିବାପାଇଁ ଋଣ ବାବଦକୁ ସୁଧ ଛାଡର ବ୍ୟବସ୍ଥା ରହିଛି । ଏମଏସଏମଇ ବିଭାଗର ‘ଷ୍ଟାର୍ଟଅପ୍’ ପଲିସିରେ ଏହି ବୈଦ୍ୟୁତିକ ଯାନ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ହୋଇଛି।
ରାସ୍ତାରେ ପାରମ୍ପରିକ ଇନ୍ଧନରେ ଚାଲୁଥିବା ମୋଟରଯାନ ଗୁଡିକରୁ ନିସୃତ ବିଷାକ୍ତ ବସ୍ତୁ ଓ ବାୟୁ ଏହି ବିଶ୍ୱ ତାପାୟନ ପାଇଁ ବହୁଳ ଭାବରେ ଦାୟୀ । ଏହି ପରିପ୍ରେକ୍ଷୀରେ ବିଶ୍ୱ ତାପାୟନକୁ ହ୍ରାସ କରିବାପାଇଁ ପାରମ୍ପରିକ ଇନ୍ଧନରେ ଚାଲୁଥିବା ମୋଟର ଯାନର ହ୍ରାସ ଘଟାଇ ବୈଦ୍ୟୁତିକ ଯାନର ପ୍ରଚଳନକୁ ତ୍ୱରିତ କରିବା ନିହାତି ଜରୁରୀ ଅଟେ । ତେଣୁ ଓଡ଼ିଶା ସରକାର ଏହି ଇ-ଯାନ ନୀତି ଆଣିଛନ୍ତି ।