କୋଭାକ୍ସିନ ବୁଷ୍ଚର ଡୋଜ କୋଭିଡ ଭୂତାଣୁ ବିରୋଧରେ ଆଣ୍ଟିବଡି ସୃଷ୍ଟି ହେବାର ସ୍ତର ବୃଦ୍ଧି କରୁଛି

ନୂଆଦିଲ୍ଲୀ: କରୋନା କୁ ମାତ ଦେବା ପାଇଁ ଜୋର୍ଧରିଛି ଟୀକାକରଣ । କୋଭିଡ ଟିକା କୋଭାକ୍ସିନ ବୁଷ୍ଚର ଡୋଜ କରୋନା ବିରୋଧରେ ଆଣ୍ଟିବଡି ସୃଷ୍ଟି ହେବାର ସ୍ତର ବୃଦ୍ଧି କରୁଛି । ଏନେଇ ନିକଟରେ ଏକ ସଦ୍ୟତମ ଅନୁଧ୍ୟାନ କରିଛି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) । ଏହି ବୁଷ୍ଟର ଡୋଜ ଗ୍ରହଣ କରିବା ପରେ ଶରୀରରେ କୋଭିଡ ଭୂତାଣୁ (SARS-CoV-2) ବିରୋଧରେ ଆଣ୍ଟିବଡି ସୃଷ୍ଟି ହେବାର ସ୍ତର ବୃଦ୍ଧି ହେଉଥିବା ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି । ମଙ୍ଗଳବାର ଏନେଇ ରାଜ୍ୟସଭାରେ ଲିଖିତ ଉତ୍ତର ମାଧ୍ୟମରେ ଅବଗତ କରିଛନ୍ତି ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ।

ମନ୍ତ୍ରୀ ପାୱାର କହିଛନ୍ତି ଯେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଦ୍ୱାରା କରାଯାଇଥିବା ଅନୁଧ୍ୟାନରେ ଭଲ ଫଳାଫଳ ସାମ୍ନାକୁ ଆସିଛି । ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ ଅଫ ଇମ୍ୟୁନାଇଜେସନ୍ (NTAGI)ର ସୁପାରିଶ ଅନୁଯାୟୀ, ଚଳିତବର୍ଷ (2022) ଜାନୁଆରୀ 10 ତାରିଖ ଠାରୁ ସ୍ୱାସ୍ଥ୍ୟସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ପ୍ରିକସନ ଡୋଜ ବା ବୁଷ୍ଟର ଡୋଜ ପ୍ରଦାନ କରାଯାଉଛି । ସରକାରୀ ଭାବେ ରହିଥିବା ତଥ୍ୟ ଅନୁସାରେ, 2022 ମାର୍ଚ୍ଚ 24 ତାରିଖ ସୁଦ୍ଧା, 2.21 କୋଟି ଡୋଜ ବୁଷ୍ଟର ଡୋଜ ପ୍ରଦାନ କରାଯାଇ ସାରିଲାଣି ।

ସୂଚନାଯୋଗ୍ୟ, ଜାନୁଆରୀ ୧୦ ତାରିଖରେ ସମ୍ମୁଖ ଯୋଦ୍ଧାଙ୍କ ସମେତ ବୟସ୍କଙ୍କୁ ବୁଷ୍ଚର ଡୋଜ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ।

Related Posts