ଆଜି ସଂଧ୍ୟାରେ ସରିବ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର

ବିଜେପୁର ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି ।

ଗୁରୁବାର ବିଜେପୁର ଏବଂ ବରପାଲି ବ୍ଲକ୍ ରେ ରୋଡ୍  ସୋ ତଥା ପ୍ରଚାର ସାରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଗାଇସିଲାଟ୍  ବ୍ଲକକୁ ଫୋକସ୍  କରିଥିଲେ । ୧୬ଟି ପଞ୍ଚାୟତକୁ ରୋଡ୍ ସୋ ମାଧ୍ୟମରେ ଛୁଇଁଥିଲେ ।

ସେହିପରି ବିଜେପିର ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ବିତୀୟ ଦଫା ପ୍ରଚାର ଦାୟିତ୍ବ ମୁଣ୍ଡାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଏବଂ ବରପାଲି ଉପରେ ଧ୍ୟାନ ଦେଇଥିଲେ । ସେ ବିଜେପୁର ଏନଏସି, ବରପାଲି ବ୍ଲକ୍  ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍ ଏସି ଅଂଚଳରେ ରୋଡ୍  ସୋ କରିଛନ୍ତି।

ପିସିସିର ତୁଙ୍ଗ ନେତାମାନେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ତତ୍ବାବଧାନରେ ବିଜେପୁର ଏବଂ ବରପାଲି ଅଞ୍ଚଳରେ ଜୋରଦାର୍  ପ୍ରଚାର କରିଛନ୍ତି। ୨୦୧୮ ଉପନିର୍ବାଚନ, ଗତ ସାଧାରଣ ନିର୍ବାଚନରେ ବିଜେପୁରରୁ କଂଗ୍ରେସକୁ ହରାଇଥିବା ବିଜେଡି ହାଟ୍ରିକ୍  ବିଜୟ ପାଇଁ କସରତ ଚଳାଇଛି ।

ସେପଟେ ବିଜେପୁର ଉପନିର୍ବାଚନ ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନିର୍ବାଚନମଣ୍ଡଳୀ ବାହାରେ ଥିବା କର୍ମଚାରୀଙ୍କ ପାଇଁ ଏହି ଛୁଟି ଘୋଷଣା କରାଯାଇଛି । ବାହାରେ ଥିବା କର୍ମଚାରୀମାନେ ମତଦାନ ପୂର୍ବଦିନ, ମତଦାନ ଦିନ ଓ ପରଦିନ ଛୁଟି ନେଇ ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାର କହିଛନ୍ତି । ତେବେ ବିଜେପୁରରେ ୨୧ ତାରିଖରେ ମତଦାନ ଥିବା ବେଳେ ୨୪ରେ ଫଳାଫଳ ଘୋଷଣା ହେବ ।

Related Posts