ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁଣିଥରେ କଂଗ୍ରେସକୁ ଫେରି ପାରନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ । ତେବେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କର ଏକ ମନ୍ତବ୍ୟ ପରେ ଏହି ଆଲୋଚନା ଜୋର ଧରିଛି। ଭୁପିନ୍ଦର ସିଂହ ହୁଡ୍ଡା ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅମରିନ୍ଦର ସିଂହ ଜଣେ ପୁରୁଣା କଂଗ୍ରେସୀ ଏବଂ ଦଳ ପାଇଁ ତାଙ୍କର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ତବ୍ୟକୁ ଅନେକ ରାଜନୈତିକ ବିଶେଷଜ୍ଞ ୮୪ ବର୍ଷୀୟ ଅମରିନ୍ଦଙ୍କର ‘ଘର ବାହୁଡ଼ା’ ହୋଇପାରେ ବୋଲି ଅନୁମାନ ଲଗାଉଛନ୍ତି। ଯଦିଓ କ୍ୟାପ୍ଟେନ ଅମରିନ୍ଦର ସିଂହ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (BJP) ସହ ଜଡ଼ିତ ଅଛନ୍ତି, ତଥାପି ଏଭଳି ବୟାନ ତାଙ୍କର ପୁରୁଣା ଦଳ ସହ ସମ୍ପର୍କକୁ ନେଇ କଳ୍ପନାଜଳ୍ପନା ବଢ଼ାଇ ଦେଇଛି। ସେପଟେ କ୍ୟାପ୍ଟେନ ଅମରିନ୍ଦର ସିଂହ ଦୀର୍ଘ ବର୍ଷ ଧରି ପଞ୍ଜାବ କଂଗ୍ରେସର ମୁଖ୍ୟ ଚେହେରା ଥିଲେ।

ତେବେ ୨୦୨୧ରେ ଦଳୀୟ ଅନ୍ତଃକନ୍ଦଳ କାରଣରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ କଂଗ୍ରେସ ଛାଡ଼ି ନିଜର ଏକ ସ୍ୱତନ୍ତ୍ର ଦଳ ‘ପଞ୍ଜାବ ଲୋକ କଂଗ୍ରେସ’ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏହି ଦଳକୁ ବିଜେପି ସହ ମିଶ୍ରଣ କରିଥିଲେ। ତେବେ, ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ତାଙ୍କର ପୁଣି ଥରେ ଦଳ ପରିବର୍ତ୍ତନ କରିବା ନେଇ ଉଠିଥିବା ପ୍ରଶ୍ନ ରାଜନୀତିରେ ଏକ ନୂଆ ମୋଡ଼ ଆଣିପାରେ। ଅନ୍ୟପଟେ ଦଳୀୟ କନ୍ଦଳ ଯୋଗୁ ୨୦୨୧ ମସିହାରେ ଅମରିନ୍ଦର କଂଗ୍ରେସରୁ ଇସ୍ତଫା ଦେଇ ପ୍ରଥମେ ନିଜେ ଦଳ ଗଢ଼ିଲେ, ଏପରେ ଏହାକୁ ବିଜେପିର ମିଶାଇ ଦେଲେ।

ହେଲେ ବିଜେପିରେ ମିଶିବା ପରେ ଅମରିନ୍ଦରଙ୍କ ପରିଚୟ ଯେମିତି ସାଇଲେଣ୍ଟ ହୋଇଯାଇଥିଲେ। ସେ ସମୟ ସମୟରେ ବିଜେପିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏମିତିକି ସେ ଦୁଇ ଦଳ ମଧ୍ୟରେ ତୁଳନା କରିଥିଲେ। ସେ କହିଥିଲେ ଯେ କଂଗ୍ରେସ ନେତୃତ୍ୱ ନିୟମିତ ଭାବରେ ପଞ୍ଜାବ-ସମ୍ବନ୍ଧୀୟ ପ୍ରସଙ୍ଗରେ ତାଙ୍କର ମତାମତ ଲୋଡ଼ୁଥିଲେ। ହେଲେ ବିଜେପିରେ ନିଷ୍ପତ୍ତି କେନ୍ଦ୍ରରୁ ନିଆଯାଇଛି। ବିଜେପି ନେତାଙ୍କ ସହିତ ତାଙ୍କର କୌଣସି କଣ୍ଟାକ୍ଟ ହେଉ ନାହିଁ ବୋଲି ମଧ୍ୟ ଅମରିନ୍ଦର ଅଭିଯୋଗ କରିଥିଲେ।