ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଦିଲ୍ଲୀ ବିଶ୍ବବିଦ୍ୟାଳୟ ଇଂରାଜୀ ଅଧ୍ୟାପିକାଙ୍କୁ ହତ୍ୟା । ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ। ପୂର୍ବ ଦିଲ୍ଲୀସ୍ଥିତ ଅଶୋକ ନଗର ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏଠାରେ ଥିବା ସତ୍ୟମ ଏନକ୍ଲେଭରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଜଣେ ୪୨ ବର୍ଷୀୟା ଅଧ୍ୟାପିକାଙ୍କୁ କେହି ହତ୍ୟା କରିଛନ୍ତି । ମୃତ ଅଧ୍ୟାପିକା ହେଲେ ଡକ୍ଟର ଦେବସ୍ମିତା ପାଲ୍ । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ତାଙ୍କ ମୁଣ୍ଡକୁ କୌଣସି ଓଜନିଆ ଜିନିଷରେ ଆକ୍ରମଣ କରାଯାଇଛି । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି ।
ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ । ସ୍ୱାମୀ ବେଙ୍ଗାଲୁରୁରେ ରହୁଥିବା ବେଳେ ଦେବସ୍ମିତା ଦିଲ୍ଲୀରେ ରହୁଥିଲେ । ଏଠାରେ ସେ ଶିବାଜୀ କଲେଜରେ ପାଠ ପଢାଉଥିଲେ । ସେ ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ଥିଲେ ।ପୋଲିସର କହିବାନୁସାରେ, ମୁଣ୍ଡରେ ଶକ୍ତ ଆଘାତର ଚିହ୍ନ ରହିଛି । ଘରେ ଟଙ୍କା ଏବଂ ସୁନା ଗହଣାରେ କେହି ହାତ ମାରି ନାହାଁନ୍ତି । ତେଣୁ ଲୁଟ୍ ପାଇଁ ଏହି ହତ୍ୟାକାଣ୍ଡ ହୋଇ ନାହିଁ । ଆଖପାଖରେ ଲାଗିଥିବା ସିସିଟିଭିର ଯାଞ୍ଚ୍ କରାଯାଉଛି । ଏବେସୁଦ୍ଧା କାହାରିକୁ ଅଟକ ରଖାଯାଇ ନାହିଁ ।
