ଦାଦନରୁ ହକି ଦଳର ଅଧିନାୟିକା; ସୁଯୋଗ ମିଳିବା ପରେ ପୁଣି ଖେଳ ପଡିଆକୁ ଫେରିଲେ ସୁନିତା ଲୁଗୁନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦାରିଦ୍ର୍ୟ ଓ ପରିବାରର ଆର୍ଥିକ ପରିସ୍ଥିତି ଦିନେ ତାଙ୍କ ଠାରୁ ହକି ଖେଳ ଛଡାଇନେଇ ଦାଦନ ସଜାଇଥିଲା, ହେଲେ ସୁଯୋଗ ମିଳିବାପରେ ପୁଣିଥରେ ସେ ଖେଳ ପଡିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କେବଳ ସେତିକି ନୁହେଁ, ସେ ମାଧୋ ସିଂହ ହକି ଏକାଡେ଼ମୀର ସଦ୍ୟ ଘୋଷିତ ଦଳର ଅଧିନାୟିକା ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ମୋଚିବାହାଲ ନିକଟ ଲଦଲଦା ଗାଁ’ର ସନିକା ଲୁଗୁନ୍‌ଙ୍କ ଝିଅ ସୁନିତା ଲୁଗୁନ।

ପିଲାବେଳୁ ପ୍ରତିଭାବାନ ସୁନିତା ରେଢ଼ାଖୋଲ ଶୁଣ୍ଡିମୁଣ୍ଡା ହାଇସ୍କୁଲ୍‌ରୁ ମାଟ୍ରିକ୍ ଶେଷ କରିବା ପରେ +୨ ବି ପାସ୍ କରି ସାରିଥିଲେ। ୨୦୧୮ରେ ସେ ଓଡ଼ିଶା ପାଇଁ ହକିର ସ୍କୁଲ୍ ନ୍ୟାସ୍‌ନାଲ୍ ମଧ୍ୟ ଖେଳିଥିଲେ। କିନ୍ତୁ ଦାରିଦ୍ର୍ୟ ଓ ପରିବାର ପାଇଁ ରୋଜଗାର କରିବାର ଚାପ ଏହି ଉଦ୍ଦୀୟମାନ ଆଦିବାସୀ ଖେଳାଳିଙ୍କୁ ଦାଦନ ହେବାକୁ ବାଧ୍ୟ କରିଥିଲା। ପରିସ୍ଥିତିର ଚାପରେ ମାତ୍ର ୧୯ ବର୍ଷ ବୟସରେ ସେ ଖେଳ ଓ ପାଠପଢ଼ା ସବୁ ଛାଡ଼ି ଦେଇ ସିଲେଇ ତାଲିମ ନେଇ ତାମିଲନାଡୁର ଏକ ଘରୋଇ ଉଦ୍ୟୋଗରେ ସିଲେଇ କାମ କରୁଥିଲେ। ସେଠାରେ ରୋଜଗାର କରୁଥିବା ଅର୍ଥ ଘରକୁ ପଠାଉଥିଲେ।

ହେଲେ ଏଭଳି ଜଣେ ପ୍ରତିଭାବାନ ଖେଳାଳିଙ୍କ ଖବର ପାଇବା ପରେ ସହିଦ ମାଧୋ ସିଂହ ହକି ‌ଏକାଡେମୀର ସଂପାଦକ ତଥା କ୍ରୀଡ଼ା ସଂଗଠକ ଲକ୍ଷ୍ମୀଧର ମହାନ୍ତି ତାଙ୍କୁ ଯୋଗାଯୋଗ କରିଥିଲେ। ତାଙ୍କୁ ଓଡ଼ିଶା ଫେରି ଆସି ପୁଣି ହକି ଖେଳିବାକୁ ପ୍ରବର୍ତ୍ତାଇ ଥିଲେ। ହକି ପ୍ରତି ସୁନିତାଙ୍କ ଭଲ ପାଇବା ଏତେ ଅଧିକ ଥିଲା ଯେ ସେ ନିଜ କାମ ଛାଡ଼ି କିଛି ଦିନ ତଳେ ଆସି ଗାଁରେ ପହଞ୍ଚିଥିଲେ।ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟ ଅନ୍ତଃଜିଲ୍ଲା ମହିଳା ହକି ପ୍ରତିଯୋଗିତା ନିମନ୍ତେ ସହିଦ ମାଧୋ ସିଂହ ହକି ଏକାଡେମୀର ଦଳ ଚୟନ ପାଇଁ ଶୁଣ୍ଡିମୁଣ୍ଡା ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ।

ବୁଧବାର ଏହି ଶିବିର ଉଦ୍‌ଯାପିତ ହେବା ସହ ମାଧୋ ସିଂହ ହକି ଏକାଡେମୀ ଦଳ ଘୋଷଣା ହୋଇଛି। ସୁନିତା ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ତାଙ୍କ ସହ ଏହି ଦଳରେ ଆଉ ଜଣେ ଜାତୀୟ ଖେଳାଳି ରଶ୍ମିତା ଲୁଗୁନ ମଧ୍ୟ ସାମିଲ ହୋଇଛନ୍ତି। ଅନ୍ୟ ଖେଳାଳି ମାନେ ହେଲେ ମନିତ ଲୁଗୁନ, ମୁକ୍ତି ସାମଦ, ନରମି ସାମଦ, ମାର୍ଥା ସାମଦ, ବଲମ ଦିନାସଏ, ସିଲମଣି ସୁରିନ, ଉର୍ମିଲା ସାମଦ, ନୀଲମ କୁଲୁ, ସୁମନ୍ତି ବାଗେ, ନୀଳିମା‌ ‌ସରେଙ୍ଗ, ତୁରଲେନ ଟପ୍ନୋ, ଗୀତା କୁମାରୀ, ଝରଣା କୁଜୁର ଏବଂ ନୀତା ମାଝି। ସଂଗୀତା ମହାନ୍ତି ମ୍ୟାନେଜର ଏବଂ ଦୀପକ ପଟେଲ କୋଚ୍ ଭାବେ ଦଳ ସହ ଯାତ୍ରା କରିବେ। ଶିବିରରେ ମୋଟ ୩୪ ଖେଳାଳି ଭାଗ ନେଇଥିଲେ। ଟାଟା ଏକାଡେମିର କୋଚ୍ ଜାଭିୟର୍ ଲାକ୍ରା ଓ ବିମଲ ଯୋଯୋ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବୁଧବାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲୀପ ମିଶ୍ର, ଶୁଣ୍ଢିମୁଣ୍ଡା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ବାଗ ଅତିଥି ଭାବେ ଯୋଗ ଦେଇଥିଲେ।

Related Posts