
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ରାଜ୍ୟରେ ଆର ଭାଲ୍ୟୁ ୧ ରୁ କମ ରହିଛି । ତେବେ ଆର ଭାଲ୍ୟୁ ୧ ଉପରେ ରହିଲେ କେସ୍ ସଂଖ୍ୟା ବଢ଼ି ବଢ଼ି ଚାଲିଥାଏ । ଭାଇରସ୍ କେତେ ସଂକ୍ରମଣକ୍ଷମ ତାହା ଆର ଭାଲ୍ୟୁ ଦେଖାଏ । କିନ୍ତୁ ଗତ ସପ୍ତାହରେ କଟକ, ପୁରୀ ଓ ଖୋର୍ଦ୍ଧାରେ ଯାହା ସଂକ୍ରମଣ ସଂଖ୍ୟା ଥିଲା ତାହା ବର୍ତ୍ତମାନ କମିଛି । କିଛି ରାଜ୍ୟରେ ସଂକ୍ରମଣ ବଢ଼ିଛି, କିଛି ରାଜ୍ୟରେ କମୁଛି । ସାମଗ୍ରିକ ଭାବେ ଭାରତରେ ଗତ ୧୫ ଦିନ ହେଲା ସଂକ୍ରମଣ ସ୍ଥିର ରହିଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । କୌଣସି ମହାମାରୀ ବେଳେ ଲଗାତାର ବା ସ୍ଥାୟୀ ଭାବେ ଲକଡାଉନ, ସଟଡାଉନ ବା କଟକଣା ରହେନି । ଲୋକଙ୍କ ଜୀବନ ଜୀବିକାକୁ ଦେଖି କିଛି ପରିମାଣରେ କୋହଳତା ଦରକାର । ଏହା ଭିତରେ ଟିକାକରଣ ଚାଲୁଛି । ଲୋକଙ୍କୁ ସଚେତନ କରାଯାଉଛି ।
ଟିକାକରଣ ପରେ କିଛି ଲୋକ ସଂକ୍ରମିତ ହେଉଛନ୍ତି । ଏହା କେବଳ କୋଭିଡ ଟିକାରେ ନୁହଁ, ସବୁ ଟିକାରେ ଏହା ଦେଖିବାକୁ ମିଳେ । ମିଳିମିଳା, ପୋଲିଓ ଭଳି ସର୍ବବୃହତ ଟିକାକରଣ ଅଭିଯାନରେ ମଧ୍ୟ ବିଫଳତା ଦେଖିବାକୁ ମିଳିଛି । ଏହାସତ୍ତ୍ବେ ଏଥିରୁ ରକ୍ଷା ପାଇବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ । ସ୍ବାସ୍ଥ୍ୟ ବିଭାଗ ଟିକା ଦେଇଦେଲା, ଆମେ ସଚେତନ ରହିବା ।ଅଭିଭାବକ ଓ ସ୍କୁଲ କର୍ମଚାରୀ ଟିକା ନେଲେ, ଛାତ୍ରଛାତ୍ରୀଙ୍କ ପାଖକୁ ସଂକ୍ରମଣ ହେବନି । ପିଲା ସଂକ୍ରମିତ ହେଲେ ବି ସେତେ ଗୁରୁତର ହୁଅନ୍ତି ନାହିଁ । ଏହାର ଅର୍ଥ ନୁହେଁ ଯେ ସେମାନଙ୍କୁ ସଂକ୍ରମଣ ପାଇଁ ଛାଡ଼ି ଦେବା । ସେରୋ ସର୍ଭେ ଦର୍ଶାଇଛି, ବହୁତ ପିଲା ସଂକ୍ରମିତ ହୋଇଛନ୍ତି । ଏହାର ଅର୍ଥ ଅନେକ ପିଲା ଲକ୍ଷଣହୀନ ସଂକ୍ରମଣର ଶିକାର ହୋଇଛନ୍ତି । ତେଣୁ ଅନ୍ୟମାନେ ପ୍ରିକସନ ନେଲେ ପିଲା ସଂକ୍ରମିତ ହେବେନି ।