
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ମାମଲାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏହା ବ୍ୟତୀତ ଆଉ ୩ ମହିଳା ଦୋଷୀଙ୍କୁ ୨ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି। ଆଜି ୨୦୧୮ ମସିହାର ଏକ ହତ୍ୟା ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଦେଇଛନ୍ତି ରାଉରକେଲା ଏଡିଜେ-୧ କୋର୍ଟ। ଏହି ଘଟଣାରେ ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହରେ ସଂଘବଦ୍ଧ ଆକ୍ରମଣ କରି ମହିଳାଙ୍କୁ ହତ୍ୟା କରାଯାଇଥିଲା।
୨୦୧୮ ମସିହା ମାର୍ଚ୍ଚ ୩ ତାରିଖ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁରେ ଡାହାଣୀ ସନ୍ଦେହରେ ଯଶୋଦା ସିଂ, ତାଙ୍କ ସ୍ୱାମୀ ଫଗୁ ସିଂ ଓ କମଳେଶ ସିଂଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଫଳରେ ଯଶୋଦାଙ୍କର ମୃତ୍ୟୁ ଘଟିଥିବା ବେଳେ ଫଗୁ ଓ କମଳେଶ ଗୁରୁତର ଆହତ ହୋଇଥିଲେ। ଏନେଇ କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଏଡିଜେ-୧ କୋର୍ଟ ମାମଲା ବିଚାର କରି କରି ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରିଛନ୍ତି। ୧୧ ଜଣଙ୍କୁ ଆଜୀବନ ଜେଲ୍ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଅନିତା ସିଂ, ରୀତା ସିଂ ଓ ଲଳିତା ସିଂଙ୍କୁ ୨ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।