ସତ୍ୟପାଠରେ ମିଥ୍ୟା କହିଛନ୍ତି ପ୍ରତାପ ଷଢ଼ଙ୍ଗୀ ?

ସତ୍ୟପାଠ ବ୍ୟୁରୋ : ଚର୍ଚ୍ଚା ଆଉ ବିବାଦ ଯେମିତି ପ୍ରତାପ ଷଢ଼ଙ୍ଗୀଙ୍କ ପିଛା ଛାଡୁନି । ଗୋଟିଏ ଦିନ ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ଦଳକୁ ସ୍ୱାଗତ କରିବା ବେଳେ ତାଙ୍କ ପାଦ ଧୋଇବାକୁ ନେଇ ଚର୍ଚ୍ଚାରେ ଥିଲେ ନନା । ଆଉ ଦିନକ ପରେ ତାଙ୍କ ନାଁରେ ହାଇକୋର୍ଟରେ ଦାୟର ହୋଇଛି ମାମଲା । ନିର୍ବାଚନୀ ସତ୍ୟପାଠରେ ନନା ଅଂସପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗରେ ମାମଲା ଦାୟର ହୋଇଛି ।

ନନାଙ୍କ ନାଁରେ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ବାଲେଶ୍ୱରର ଜଣେ ସାଧାରଣ ଭୋଟର ମହମ୍ମଦ ସହିରୁଲ ହକ୍ । ଆବେଦନକାରୀ ଦର୍ଶାଇଛନ୍ତି ପ୍ରତାପ ନିଜ ସତ୍ୟପାଠରେ ଯେଉଁ ତଥ୍ୟ ଦେଇଛନ୍ତି ତାହା ସଂପୂର୍ଣ୍ଣ ନୁହେଁ । ତାଙ୍କ ବିରୋଧରେ କିଛି ଅପରାଧିକ ମାମଲା ରହିଥିବା ବେଳେ ସେ ନେଇ ସେ ସତ୍ୟପାଠରେ ଉଲ୍ଲେଖ କରି ନାହାଁନ୍ତି । ଏପରିକି ନିଜ ସମ୍ପତ୍ତି ଓ ଅନ୍ୟ କେତେକ ପ୍ରସଙ୍ଗରେ ବି ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି ସାଂସଦ ପ୍ରତାପ ଷଢ଼ଙ୍ଗୀ ।

ନାମାଙ୍କନ ଦାଖଲ ବେଳେ ପ୍ରତାପ ଦେଇଥିବା ସତ୍ୟପାଠକୁ ଭିତ୍ତି କରି ତଦନ୍ତ କରାଯାଉ ଓ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି ।

“ ସତ୍ୟପାଠକୁ ପ୍ରତିକ୍ରିୟା ଦେଇ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସିର୍ଦ୍ଧାର୍ଥ ଦାସ କହିଛନ୍ତି, ପ୍ରତାପ ଷଢ଼ଙ୍ଗୀ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଅସଂପୂର୍ଣ୍ଣ ଓ ଏଥିରେ ଅନେକ ତଥ୍ୟ ବାବଦରେ ଉଲ୍ଲେଖ କରାଯାଇ ନାହିଁ । ତେଣୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ଦ୍ୱିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷିତ କରିବାକୁ ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି । ତେବେ ବାସ୍ତବିକ୍ କେଉଁ ଅପରାଧିକ ମାମଲା, ସମ୍ପତ୍ତି ବିବରଣୀ ବା ଅନ୍ୟ କେଉଁ ନିର୍ଦ୍ଦିଷ୍ଟ ତଥ୍ୟ ଶ୍ରୀ ଷଢ଼ଙ୍ଗୀ ସତ୍ୟପାଠରେ ଲୁଚାଇଛନ୍ତି ବୋଲି ସତ୍ୟପାଠର ଏକ ପ୍ରଶ୍ନରେ ଆଇନଜୀବୀ ଶ୍ରୀ ଦାସ କହିଛନ୍ତି କୋର୍ଟରେ ମାମଲା ଦାୟର ହୋଇଥିବା କାରଣରୁ ଏନେଇ କୌଣସି ତଥ୍ୟ ଦେବା ଉଚିତ ହେବ ନାହିଁ ।”

Related Posts