ଓଡିଶାକୁ ଉପେକ୍ଷା ବେଳେ ଚୁପ ରହିଲ, ଭୋଟ ନେଇ ଭୁଲିଗଲ !

ସତ୍ୟପାଠ ବ୍ୟୁରୋ : ୨୦୧୯-୨୦ ଆର୍ଥିକ ବର୍ଷର ଦେଶର ୧୭ଟି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି । ହେଲେ ଦୁର୍ଭାଗ୍ୟର କଥା, ଏଥିରେ ଓଡିଶାର ଗୋଟିଏ ବି ପର୍ଯ୍ୟଟନ କ୍ଷେତ୍ରର ନାଁ ନାହିଁ । ଐତିହ୍ୟ ମାନ୍ୟତା ପାଇବାକୁ ଓଡିଶାର ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । ସେଗୁଡିକର ବିକାଶ ପାଇଁ ବି ବହୁ ଅର୍ଥ ଆବଶ୍ୟକ । ଯାହାକି ବଜେଟରେ ସ୍ଥାନ ପାଇଥିଲେ ସହଜ ହୋଇପାରିଥାନ୍ତା । ତଥାପି କେନ୍ଦ୍ର ତାଲିକାରେ ଓଡିଶା ନାଁ ଦିଆଗଲାନି । ଏହାକୁ ନେଇ ସମଗ୍ର ଓଡିଆ ଜାତି କ୍ଷୁବ୍ଧ ଓ ଦୁଃଖିତ । ମାନ୍ୟତା ତାଲିକାରେ ରାଜ୍ୟର ନାଁ ରଖା ନଯିବା ଠାରୁ ବେଶୀ କ୍ଷୋଭର କଥା ହେଲା ପ୍ରତାରଣା ।

ନିର୍ବାଚନ ପୂର୍ବରୁ ବିଗତ ୪ବର୍ଷ ହେଲା ମୋଦି ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପିର ଓଗେର ଯେତିକି ଭାଇମାନେ ଅଛନ୍ତି, ଏମାନେ ସମସ୍ତେ ଓଡିଶାର ଇତିହାସ, କଳା, ସଂସ୍କୃତି, ସ୍ୱାଭିମାନର ସୁରକ୍ଷା ପାଇଁ ଭାଷଣରେ ଧାଡିଟିଏ ବି କସର ଛାଡି ନାହାଁନ୍ତି । ଯେଉଁଥିପାଇଁ ଆଶାତୀତ ଭାବରେ ଏମାନଙ୍କୁ ଓଡିଶାର ଲୋକେ ଏଭଳି ସଂଖ୍ୟାରେ ଭୋଟ ଦେଲେ ଆଉ ଦଳର ଭୋଟହାର ବଢ଼ିଲା । ମୋଦିଙ୍କୁ ଭରସା କରି ୧ବଦଳରେ ୮ଟି ସିଟ୍ ସେମାନଙ୍କ ହାତକୁ ଟେକିଦେଲେ । ଯେତେବେଳେ ମୋଦି ଓଡିଶା ଆସୁଥିଲେ , ଜୟ ଜଗନ୍ନାଥ ଠାରୁ ନେଇ ଓଡିଶାର ସଂସ୍କୃତି ଯାଏ ଗପିଥିଲେ । ସମସ୍ତେ ଆଶା କରିଥିଲେ, ଜାତୀୟ ସ୍ତରରେ ଓଡିଶା ଯେତିକି ଅବହେଳିତ ହୋଇଛି, ସେସବୁ ପୁରା ହୋଇଯିବ । ମାନେ ଏମାନେ ଏତେ ଦେବେ ଯାହା ବାକି ଅଛି ସେସବୁ ପୁରା ହୋଇ ଆହୁରି ବଳିବ । କିନ୍ତୁ ଭୋଟ ପାଇବା ପରେ ଯେଉଁଟା ବେଶୀ ବାଧୁଛି ସେଇଟା ହେଉଛି ପ୍ରତାରଣା ।

ଆଉ ଆଶ୍ଚର୍ଯ୍ୟର କଥା, ଭାରତୀୟ ଜନତା ପାର୍ଟିର ଯେଉଁମାନେ ଓଡିଶା ମା’ର ଲଢ଼ୁଆ ପୁଅ ସାଜିଥିଲେ , ସେମାନେ ସମସ୍ତେ ଚୁପ । କାହା ପାଟିରୁ କଥା ବାହାରୁନି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡିଶାର ଓ ଓଡିଆଙ୍କର ସମ୍ମାନ, ସ୍ୱାଭିମାନ, ଐତିହ୍ୟ, ଏଇ ଭାଷଣ ଜରିଆରେ ଭୋଟରଙ୍କୁ ନିଜ ପଟକୁ ଝାଡୁ ମାରିକି ପୋଛି ନେବାର ଯେଉଁ ପ୍ରୟାସ କରାଯାଇଥିଲା ଆଉ ସେଥିପାଇଁ ନୂଆ ପାଇକ ସାଜିଥିଲେ ଧର୍ମେନ୍ଦ୍ର ବାବୁ ।

୨୦୦ବର୍ଷ ତଳର ପାଇକ ବିଦ୍ରୋହକୁ ଜାତୀୟ ସ୍ତରରେ ଇଂରେଜଙ୍କ ବିରୋଧରେ ସିପାହୀ ବିଦ୍ରୋହ ଠାରୁ ଅଧିକ ଗୁରୁତ୍ୱ ଓ ସ୍ୱୀକୃତି ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ସମସ୍ତେ ନୂଆ ପାଇକ ସାଜିଥିଲେ । ଏବେ ନୂଆ ପାଇକ ପ୍ରଧାନ ବାବୁ ପୁରା ଚୁପ । ଆଉ ସେତେବେଳେ ଧର୍ମେନ୍ଦ୍ର ବାବୁଙ୍କୁ ଯିଏ ଚେକ୍ ଦେଇଥିଲେ, ସେହି ବିଜେଡି ବାଲାଏ ବି ଚୁପ୍ । ଆଂଚଳିକ ଦଳ ଭାବରେ ଭୋଟ ପୂର୍ବରୁ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ଓଡିଶା ପାଇଁ କାନ୍ଦିଲେ ବିଜେଡି ଓ ତାଙ୍କର ଦଳପତି । ଏଠି ଓଡିଶାର କାହାକୁ ସ୍ୱୀକୃତି ମିଳିଲାନି, ତାଲିକାରେ ନାଁ ନାହିଁ । ତଥାପି ନବୀନ ବାବୁ ଚୁପ, ତାଙ୍କ ଦଳଭାଇମାନେ ବି ଚୁପ । ନିଜ ଆଡୁ କେହି କିଛି କହୁ ନାହାଁନ୍ତି । ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ବାଟ ଓଗାଳୁଛନ୍ତି, ସେତିକି ବେଳେ କ୍ୟାମେରା ସାମ୍ନାରେ ଦୁଇପଦ କହି ଦେଇ ଛୁ’ । ଏହାକୁ ନେଇ ପ୍ରଶ୍ନ ଉଠିଛି ଯେ, ନୂଆ ପାଇକ ଓଡିଶାର ସମ୍ମାନ ଓ ସ୍ୱାଭିମାନ ପାଇଁ ନା ନିର୍ବାଚନ ଯୁଦ୍ଧ ପାଇଁ । ସାଧାରଣରେ ଗୋଟିଏ କଥା, ଏବେ ନୂଆ ପାଇକ ଧର୍ମେନ୍ଦ୍ର ପ୍ରଧାନ ଗଲେ କୁଆଡେ ?

Related Posts