ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ସୋସିଆଲ ମିଡ଼ିଆରେ ମିଛ ଖବର ପ୍ରସାରଣ ବିରୁଦ୍ଧରେ ସରକାରଙ୍କ କାର୍ଯ୍ୟନୁଷ୍ଠାନ ଜାରି ରହିଛି। ଭୁଲ୍‌ ସୂଚନା ଦେଖାଉଥିବା ୧୦୦ରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଓ ଅନେକ ଭିଡ଼ିଓକୁ ସରକାର ବ୍ଲକ୍‌ କରି ଦେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଏହାସହ ମନ୍ତ୍ରାଳୟ ଫେସବୁକ୍‌ , ଇନଷ୍ଟାଗ୍ରାମ୍‌ ସମେତ ଅନେକ ସୋସିଆଲ ମିଡ଼ିଆ ଆକାଉଣ୍ଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଅନୁରାଗ ଠାକୁର ଗୃହରେ କହିଛନ୍ତି କି, ଭୁଲ୍ ସୂଚନା ପ୍ରସାରକୁ ରୋକିବା ପାଇଁ ୧୦୪ ୟୁଟ୍ୟୁବ୍‌ ଚ୍ୟାନେଲ ଓ ୪୫ ୟୁଟ୍ୟୁବ୍‌ ଭିଡିଓ ବ୍ଲକ୍‌ କରାଯାଇଛି। ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ଜୁଗଲସିଂହ ଲୋଖଣ୍ଡୱାଲାଙ୍କ ତରଫରୁ ଫେକ୍‌ ଖବରର ସମ୍ୱନ୍ଧରେ ପ୍ରଶ୍ନ କରାଯାଇ ଥିଲା, ଯାହାର ଜବାବରେ ସରକାର ତଥ୍ୟ ସେୟାର କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ୪ଟି ଫେସବୁକ୍‌ ଆକାଉଣ୍ଟ, ୨ଟି ପୋଷ୍ଟ , ୩ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ , ୫ଟି ଟ୍ୱିଟର ଆକାଉଣ୍ଟ , ୩ଟି ପୋଡକାଷ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେ ଦୁଇଟି ଆପ୍ସ ଓ ୬ଟି ୱେବସାଇଟ୍ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମୁଁ ସଦସ୍ୟଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି କି, ମନ୍ତ୍ରାଳୟ ଦେଶର ସୁରକ୍ଷା ପାଇଁ କୌଣସି ବି କଡ଼ା କାର୍ଯ୍ୟାନୁଷ୍ଠାନ କରିବାରେ ସଙ୍କୋଚ କରିବେ ନାହିଁ।

ନିକଟରେ ସରକାର ସୁପ୍ରିମ କୋର୍ଟ ,ମୁଖ୍ୟ ବିଚାରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଭୁଲ୍‌ ସୂଚନା ସେୟାର କରୁଥିବା ୟୁଟ୍ୟୁବ୍‌ ଚ୍ୟାନେଲ ଗୁଡ଼ିକ ବିରୋଧରେ ଆକ୍ସନ ନେଇଥିଲେ।