ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବର୍ତ୍ତମାନ ବିଭିନ୍ନ ରାଜ୍ୟର ସରକାର ମାନେ ନିଜ ଅଞ୍ଚଳ ବାହାରେ ବିଜ୍ଞାପନ ପ୍ରକାଶ କରୁଛନ୍ତି। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନକୁ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। କୋର୍ଟ ଏହି ମାମଲାରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମାନଙ୍କୁ ନୋଟିସ୍ କରିଛନ୍ତି। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ ଏବଂ ହିମା କୋହଲି ଙ୍କ ଖଣ୍ଡପୀଠ କେନ୍ଦ୍ରର ସୂଚନା ଏବଂ ପ୍ରସାର ମନ୍ତ୍ରାଳୟ ଏବଂ ସମସ୍ତ ରାଜ୍ୟ ସରକାର ମାନଙ୍କୁ ନୋଟିସ୍ କରିଛନ୍ତି।
ନିଜ ଅଞ୍ଚଳ ବାହାରେ ବିଜ୍ଞାପନ ପ୍ରକାଶ ପାଇଁ ରାଜ୍ୟ ଗୁଡ଼ିକ ଉପରେ କଟକଣା ଲାଗୁ କରିବାକୁ ଏନ୍ଜିଓ ସଂସ୍ଥା କମନ୍ କଜ୍ ଦ୍ବାରା କୋର୍ଟରେ ଏହି ଆବେଦନ ହୋଇଥିଲା।କୋର୍ଟ ଏହି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିବା ସହ କହିଛନ୍ତି, ଗୋଟିଏ ରାଜ୍ୟକୁ ଆମେ ନିଜ ଅଞ୍ଚଳ ବାହାରେ ବିଜ୍ଞାପନ ପ୍ରକାଶ କରିବାକୁ ମନା କେମିତି କରିପାରିବୁ। ରାଜ୍ୟ ସରକାର ନିଜ ଅଞ୍ଚଳରେ କାର୍ଯ୍ୟକୁ ଅନ୍ୟ ରାଜ୍ୟର ଲୋକଙ୍କୁ ଦେଖାଇ ନିଜ ଅଞ୍ଚଳରେ ବିନିଯୋଗ ପାଇଁ ଆକୃଷ୍ଟ କରିବାକୁ ଏଭଳି କରୁଥାଇ ପାରନ୍ତି ବୋଲି ଖଣ୍ଡପୀଠ କହିଥିଲେ। ତେବେ ଏନ୍ଜିଓ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି, ରାଜ୍ୟମାନଙ୍କ ଦ୍ବାରା ନିଜ ଅଞ୍ଚଳ ବାହାରେ ପ୍ରକାଶିତ ବିଜ୍ଞାପନ ନିବେଶ ପାଇଁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ହୋଇନି। ସେ କହିଛନ୍ତି, ସରକାରୀ ପାଣ୍ଠି ସରକାରୀ ଜନକଲ୍ୟାଣ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ, ରାଜନୈତିକ ବିଜ୍ଞାପନ ପାଇଁ ନୁହେଁ। ଏଭଳି ବିଜ୍ଞାପନ ନିର୍ବାଚନ ସମୟରେ ପ୍ରକାଶ ହେଉଛି ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି।
