କଂଗ୍ରେସ ସରକାର ସମୟରେ ମୋଦୀଙ୍କୁ ମିଛ କେସ୍‌ରେ ଫସାଇବାକୁ ମୋ ଉପରେ ଚାପ ପକାଉଥିଲା ସିବିଆଇ: ଅମିତ ଶାହ

ଭୁବନେଶ୍ୱର,୩୦/୩ (ସତ୍ୟପାଠ ବ୍ୟୁରୋ): କେନ୍ଦ୍ରରେ କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାରରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଛ ଏନ୍‌କାଉଣ୍ଟର ମାମଲାରେ ଫସାଇବାକୁ ଚେଷ୍ଟା କରିଥିଲା। ମୋଦୀଙ୍କୁ ମିଛ ମାମଲାରେ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଶାହ।

ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରୁଥିବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତରରେ ଶାହ ଏଭଳି କହିଛନ୍ତି। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିସାରିଛନ୍ତି। ମୋଦୀଙ୍କ ଖଣ୍ଡନ ପରେ ଶାହ ମୁହଁ ଖୋଲିଛନ୍ତି।

ଶାହ କହିଛନ୍ତି, “କଂଗ୍ରେସ ସରକାର ସମୟରେ ଏକ ମିଛ ଏନ୍‌କାଉଣ୍ଟର ମାମଲାରେ ମୋଦୀ ଜୀ( ତତ୍କାଳୀନ ଗୁଜରାଟର ମୁଖ୍ୟମନ୍ତ୍ରୀ)ଙ୍କୁ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା।” ଏହା ସତ୍ତ୍ୱେ ବି ବିଜେପି କୌଣସି ହଙ୍ଗାମା କରି ନଥିଲା ବୋଲି ଶାହ କହିଛନ୍ତି। ହେଲେ କଂଗ୍ରେସ ନେତା ମାନେ ରାହୁଲ ଗାନ୍ଧୀ ଙ୍କ ମାମଲାକୁ ନେଇ କଳା ପୋଷାକ ପିନ୍ଧି ହଙ୍ଗାମା କରୁଛନ୍ତି। ଯଦି ରାହୁଲ ଗାନ୍ଧୀ ନିର୍ଦ୍ଦୋଷ ତେବେ ସେ କାହିଁକି ଉପରିସ୍ଥ କୋର୍ଟ କିମ୍ବା ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବିରୋଧୀଙ୍କର ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଟାର୍ଗେଟ୍ କରିଥିଲେ। କିଛି ଦଳ ଭ୍ରଷ୍ଚାଚାର ବଞ୍ଚାଅ ଅଭିଯାନ ଆରମ୍ଭ କରିଦେଇଛନ୍ତି ବୋଲି ମୋଦୀ କହିଥିଲେ। ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ବିରୋଧରେ କଂଗ୍ରେସ ସମେତ କିଛି ବିରୋଧୀ ଦଳ ଏକାଠୀ ହେବାକୁ ମୋଦୀ ଟାର୍ଗେଟ୍ କରିଥିଲେ। ମୋଦୀ କହିଥିଲେ ଯେ ଆମ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଦ୍ୱାରା ଆମ ମୂଳ ଭିତ୍ତି ମଜଭୁତ ରହିଛି। କିନ୍ତୁ ବର୍ତ୍ତମାନ ଭାରତକୁ ରୋକିବାକୁ ଏହି ସାମ୍ବିଧାନିକ ମୂଳଭିତ୍ତି ଉପରେ ଆକ୍ରମଣ କରାଯାଉଛି।

ସୂଚନାଯୋଗ୍ୟ ଯେ, ୧୪ ବିରୋଧୀ ଦଳର ନେତା କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ନେଇ ସୁପ୍ରିମୋକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ଆସନ୍ତା ଏପ୍ରିଲ ୧୫ ତାରିଖରେ କୋର୍ଟ ଏହାର ଶୁଣାଣି କରିବେ। ହେଲେ ଏହା ପୂର୍ବରୁ ଏହି ମାମଲାକୁ ନେଇ ବିରୋଧୀ ଓ ବିଜେପି ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଯାଇଛି।

Related Posts