ସବିଏସଇର ବଡ ଘୋଷଣା : କୋଭିଡ୍ ଯୋଗୁଁ ଅନାଥ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫି’ ଛାଡ଼

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ଅନେକ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକ ମାନଙ୍କୁ ହରାଇଛନ୍ତି। କରୋନା ଯୋଗୁଁ ଅନାଥ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସଇ ପକ୍ଷରୁ ଏକ ଘୋଷଣା କରାଯାଇଛି। ସିବିଏସଇ ଘୋଷଣା କରିଛି ଯେ, କରୋନା ଯୋଗୁଁ ଯେଉଁ ଛାତ୍ରଛାତ୍ରୀ ମାନେ ଅନାଥ ହୋଇଯାଇଛନ୍ତି, ସେମାନଙ୍କୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଫି’ ଦେବାକୁ ପଡ଼ିବ ନାହିଁ। ଏହି ଛାତ୍ରଛାତ୍ରୀ ମାନେ ସଂପୂର୍ଣ୍ଣ ମାଗଣାରେ ପରୀକ୍ଷା ପାଇଁ ପଞ୍ଜିକରଣ କରିପାରିବେ। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିବିଏସ୍‌ଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। 

ଏ ସମ୍ପର୍କରେ ସୂଚନା ଦେଇ ସିବିଏସଇର ପରୀକ୍ଷା ନିୟନ୍ତ୍ରକ ସନମୟ ଭରଦ୍ୱାଜ କହିଛନ୍ତି, ସାରା ଦେଶ କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଛି। ବିଦ୍ୟାର୍ଥୀ ମାନେ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସିବିଏସ୍ଇ ୨୦୨୧-୨୨ ଶିକ୍ଷାବର୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ବାପା ମା’ କିମ୍ବା ପରିବାରର ଦେଖାଶୁଣା କରୁଥିବା ଅଭିଭାବକ, ଲିଗାଲ ଅଭିଭାବକ କୋଭିଡ୍ – ୧୯ ଯୋଗୁଁ ହରାଇଛନ୍ତି ସେମାନଙ୍କ ଠାରୁ ପରୀକ୍ଷା ଫି’ ନିଆଯିବ ନାହିଁ। 

ଏହି ଛାତ୍ରଛାତ୍ରୀ ମାନଙ୍କୁ ଚିହ୍ନଟ କରିବା ଦାୟିତ୍ୱ ସ୍କୁଲ କର୍ତୃପକ୍ଷଙ୍କୁ ଦିଆଯିବ । ଏହାପରେ ୧୦ମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଚାହୁଁଥିବା ଏହି ବର୍ଗର ପିଲାମାନଙ୍କ ତାଲିକା ପ୍ରକାଶ ପାଇବ ବୋଲି ଶ୍ରୀ ଭରଦ୍ବାଜ ସୂଚନା ଦେଇଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ , ସିବିଏସଇ ବୋର୍ଡ ପରୀକ୍ଷାକୁ ଦୁଇ ଭାଗରେ ବିଭକ୍ତ କରିଛି। ପ୍ରଥମ ଭାଗ ପରୀକ୍ଷା ନଭେମ୍ବରରୁ ଡିସେମ୍ବର ଓ ଦ୍ୱିତୀୟ ଭାଗ ପରୀକ୍ଷା ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବ। ଅର୍ଥାତ୍ ଛାତ୍ରଛାତ୍ରୀ ମାନେ ଦୁଇଥର ବୋର୍ଡ ପରୀକ୍ଷା ଦେବେ।

Related Posts