
(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ। ଫଳରେ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀରେ ବନ୍ୟା ଜଳ ଆସିବାରୁ ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ , ଜଳକା ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳ ୭ଟା ସୁଧା ୭ମିଟରରେ ପ୍ରବାହିତ ହେଉଛି ଜଳସ୍ତର। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହେତୁ ଆଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ନଦୀରେ ଜଳସ୍ତର ଆହୁରି ବଢିବାର ସମ୍ଭାବନା ରହିଛି। ଏବେ ବସ୍ତା ବ୍ଲକର ୧୨ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ଜଳବନ୍ଦୀ।
ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇ ଯାଇଛି। ଜଳକା ନଦୀରେ ବନ୍ୟା ଯୋଗୁଁ ବସ୍ତା ବ୍ଲକର ୧୨ଟି ପଞ୍ଚାୟତ ପତ୍ରଝଡ଼ା, ସଦାନନ୍ଦ ପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡପଦା, କୁଡିଆ, ବାସିଚକୁରାଇ, ଦରଡା, ବ୍ରାହ୍ମଣଦା, ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ରସୁଲପୁର ଏବଂ ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେହିପରି ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ରାଜନଗରର ୫ଟି ପଞ୍ଜାୟତ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବନ୍ୟା ପାଣି ପଶିବା ପରେ ଗତ ୫ଦିନ ହେଲାଣି ୫ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।