ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବାର ନିୟନ୍ତ୍ରଣକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମୁହାଁମୁହିଁ: ପାଞ୍ଚ ଜଣିଆ ବୃହତ ଖଣ୍ଡପୀଠ ସେପ୍ଟେମ୍ବର ୭ରେ କରିବେ ଶୁଣାଣି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବାର ନିୟନ୍ତ୍ରଣ କାହା ହାତରେ ରହିବ । ଏନେଇ କେନ୍ଦ୍ର ତଥା ଦିଲ୍ଲୀ ସରକାର ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ, ରାଜଧାନୀକୁ କିଏ ନିଜ ଅଧିକ ନିୟନ୍ତ୍ରଣରେ ରଖି ପାରିବ ତାକୁ ନେଇ କେନ୍ଦ୍ର ଏବଂ ଦିଲ୍ଲୀ ରାଜ୍ୟ ସରକାର ମଧ୍ୟରେ ଟଣାଓଟରା ଲାଗି ରହିଛି।

ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ବିଚାରଧୀନ ମାମଲାରେ ପାଞ୍ଚ ଜଣିଆ ବୃହତ ଖଣ୍ଡପୀଠ ସେପ୍ଟେମ୍ବର ୭ରେ ଶୁଣାଣି କରିବେ।

ଭାରତର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ ଏ.ଏମ ସିଙ୍ଘଭିଙ୍କ ଦଲିଲ୍‌କୁ ଗ୍ରହଣ କରି ମାମଲାର ଶୁଣାଣି ପାଇଁ ସୂଚୀବଦ୍ଧ କରିବାକୁ ରେଜିଷ୍ଟ୍ରାରକୁ ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ କହିଛନ୍ତି, ଏହି ବିଷୟରେ ମୁଁ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ସହ ଆଲୋଚନା କରିବି। ପୁଣି ସେପ୍ଟେମ୍ବର ୭ରେ ବିଚାରପତି ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ଏକ ସାମ୍ବିଧାନିକ ପୀଠରେ ଏହାର ଶୁଣାଣି କରାଯିବ। କେନ୍ଦ୍ର ସରକାରଙ୍କ ତରଫରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ମୋକଦ୍ଦମାର ପ୍ରସ୍ତୁତି ପାଇଁ ଆଉ କିଛି ସମୟ ଦରକାର ବୋଲି କହିଛନ୍ତି।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଅଗଷ୍ଟ ୨୨ରେ ରାଜଧାନୀ ଦିଲ୍ଲୀରେ ସେବାର ନିୟନ୍ତ୍ରଣକୁ ନେଇ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ବିଧାୟୀ ଏବଂ କାର୍ଯ୍ୟକାରୀ ଶକ୍ତି ସଂପର୍କିତ ପ୍ରସଙ୍ଗର ଶୁଣାଣି ପାଇଁ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵରେ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି। କେନ୍ଦ୍ର ସରକାର ପ୍ରଶାସନିକ ସେବାର ନିୟନ୍ତ୍ରଣ ଏବଂ ସଂଶୋଧିତ ଜିଏନସିଟିଡି ଆକ୍ଟ,୨୦୨୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଗତ ଦୁଇଟି ଭିନ୍ନ ଭିନ୍ନ ଆବେଦନ ଉପରେ ଯୁଗ୍ମ ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ଜିଏନସିଟିଡି ଆକ୍ଟରେ ଉପ ରାଜ୍ୟପାଳଙ୍କୁ କଥିତ ଭାବେ ଅଧିକ ଶକ୍ତି ପ୍ରଦାନ କରାଯାଇଛି।

Related Posts