(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଗତକାଲି କଂଗ୍ରେସ ଦଳର ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ପରେ ସାରା ଦେଶରେ ରାଜନୈତିକ ମାହଲ ବେଶ ସରଗରମ ହୋଇ ଉଠିଛି । ହେଲେ ଏହାକୁ ସହଜରେ ହଜମ କରି ପାରିନାହାଁନ୍ତି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏନେଇ ରାହୁଲ ଗାନ୍ଧି ଟ୍ୱିଟର ଇଣ୍ଡିଆକୁ ନେଇ ବଡ ବୟାନ ଦେଇଛନ୍ତି । ଏକ ଭିଡିଓ ରିଲିଜ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ମୋର ଲକ୍ଷ ଲକ୍ଷ ସମର୍ଥକ ଅପମାନିତ ହୋଇଛନ୍ତି। ଟ୍ୱିଟରର ମନୋଭାବ ପକ୍ଷପାତିତ ଅଟେ। ଏହା ସହ ସରକାରଙ୍କ ବିରୋଧରେ ବିରୋଧୀ ଦଳମାନଙ୍କର କହିବାର ସ୍ୱାଧୀନତା ମଧ୍ୟ ଛଡାଇ ନେଇଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି । କେବଳ ଏତିକି ନୁହେଁ ବରଂ କଂଗ୍ରେସ ଦାବି କରିଛି ଯେ ସେମାନଙ୍କ ମଧ୍ୟରୁ ୫ ହଜାରରୁ ଅଧିକ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଛି ।
ଯେଉଁଥିରେ କିଛି ବଡ ନେତାଙ୍କ ଆକାଉଣ୍ଟ ମଧ୍ୟ ସାମିଲ ରହିଛି । ଅପରିପକ୍ଷରେ କିଛି ଦିନ ପୂର୍ବରୁ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଯାଇଥିଲା । ତେବେ ଦିଲ୍ଲୀରେ ଘଟିଥିବା ନାବଳିକା ଝିଅର ବଳତ୍କାର ଓ ପରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧି ସମ୍ପୃକ୍ତ ଝିଅଙ୍କ ପରିବାର ସହ ସାକ୍ଷାତ କରିଥିଲେ । ଠିକ ଏହାର କିଛି ସମୟ ପରେ ତାଙ୍କ ପରିବାର ସହ ହୋଇଥିବା ବୈଠକର ଫୋଟ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହା ପରେ ଟ୍ୱିଟର ଇଣ୍ଡିଆ ପକ୍ଷରୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା । ତେଣୁ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ଏହି ଆମେରିକୀୟ କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ଦଳୀୟ କମ୍ପାନୀ । ଏହି କମ୍ପାନୀ ଭାରତର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି ଏବଂ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଲିଛି ।
ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଟ୍ୱିଟର ଦ୍ୱାରା ଯାହା କରାଯାଇଛି ତାହା ହେଉଛି ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ । ଆମେ ସଂସଦ ଭିତରେ କହିପାରିବା ନାହିଁ । ଗଣମାଧ୍ୟମ ନିୟନ୍ତ୍ରିତ । ମୁଁ ଭାବିଲି ଏହି ଆଶା ଏକ ଆଲୋକ ଅଟେ ଯେଉଁଠାରେ ଆମେ ଆମର ଚିନ୍ତାଧାରାକୁ ଟ୍ୱିଟରରେ ରଖିପାରିବା । କିନ୍ତୁ ତାହା ନୁହେଁ। ସେ କହିଛନ୍ତି ଯେ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଟ୍ୱିଟର ଏକ ନିରପେକ୍ଷ ଏବଂ ଅବଜେକ୍ଟିଭ୍ ପ୍ଲାଟଫର୍ମ ନୁହେଁ। ଏହା ଏକ ଦଳୀୟ ଫୋରମ୍ । ସରକାର କ’ଣ କହୁଛନ୍ତି ତାହା ଶୁଣେ ବୋଲି ରାହୁଲ ଗାନ୍ଧି କହିଛନ୍ତି ।