ମୁମ୍ବଇରେ ଡେଲଟା ପ୍ଲସ ଭାରିଏଣ୍ଟରେ ପ୍ରଥମ ମୃତ୍ୟୁ ; ମୃତ ମହିଳା ନେଇସାରିଥିଲେ ଦୁଇ ଡୋଜ ଟିକା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କୋଭିଡ-୧୯ ର ଡେଲଟା ପ୍ଲସ ଭାରିଆଣ୍ଟ ଯୋଗୁଁ ପ୍ରଥମ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ମୃତ ୬୩ ବର୍ଷ ବୟସ୍କା ଏହି ମହିଳା କୋଭିଡର ଦୁଇଟିଯାକ ଟିକା ନେଇସାରିଥିଲେ । ଜୁଲାଇ ୨୧ ରେ ସେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବଂ ସେ ୨୭ ଜୁଲାଇରେ ମୃତ୍ୟୁ ବରଣ କରିଛନ୍ତି।  ମହିଳା ଜଣକ ମଧୁମେହ ସମେତ ଅନ୍ୟାନ୍ୟ ରୋଗରେ ପୂର୍ବରୁ ପୀଡିତ ଥିଲେ। ନିକଟରେ ମୁମ୍ବାଇରେ ଚିହ୍ନଟ ହୋଇଥିବା ୭ ଜଣ ଡେଲଟା ପ୍ଲସ୍ ଭାରିଆଣ୍ଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନ୍ୟତମ ଥିଲେ । 

ସେମାନଙ୍କର ଜିନୋମ ସକ୍ବେନସ୍ ରେଜଲ୍ଟ ଅଗଷ୍ଟ ୧୧ ରେ ଆସିଥିଲା ​​। ଉକ୍ତ ମହିଳାଙ୍କ ସମ୍ପର୍କରେ ଆସିଥିବା ଦୁଇ ଜଣ ବ୍ୟକ୍ତିଙ୍କ ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିଲା । ସେ ହସ୍ପିଟାଲରେ ଅମ୍ଳଜାନ ସହାୟତାରେ ଥିଲେ ଏବଂ ତାଙ୍କୁ ଷ୍ଟେରଏଡ ଏବଂ ରିମେଡେସିଭର୍ ଦିଆଯାଇଥିଲା। ସୂଚନା ମୁତାବକ ମହିଳାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା । ଡେଲଟା ପ୍ଲସ୍ ଭାରିଏଣ୍ଟ ଯୋଗୁଁ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୨ କୁ ବୃଦ୍ଧି ପାଇଛି।  ଗତ ମାସରେ, ରତ୍ନାଗିରିର ଜଣେ ୮୦ ବର୍ଷ ବୟସ୍କା ମହିଳା ଡେଲଟା ପ୍ଲସ୍ ଭାରିଆଣ୍ଟରେ ପ୍ରାଣ ହରାଇଥିଲେ। ମହାରାଷ୍ଟ୍ରର କୋଭିଡ -19 ର ଡେଲଟା ପ୍ଲସ୍ ଭାରିଏଣ୍ଟ ଚିନ୍ତା ବଢାଉଛି ।  ମୁମ୍ବାଇରେ ଡେଲଟା ପ୍ଲସ୍ ଭାରିଆଣ୍ଟର ୭ ନୂତନ ରୋଗୀଙ୍କ ସହିତ ମୋଟ ସଂଖ୍ୟା ବର୍ତ୍ତମାନ ୧୧ ରେ ପହଞ୍ଚିଛି |   

ଏହା ପୂର୍ବରୁ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଥିଲା ଯେ ରାଜ୍ୟରେ କୋଭିଡ-୧୯ର ଡେଲଟା ପ୍ଲସ ପ୍ରକରଣରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି।

ଏହାପରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୋଭିଡ-୧୯ ସମ୍ପର୍କିତ ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ବ୍ୟାୟାମଶାଳା, ପାର୍ଲର ଏବଂ ସେଲୁନଗୁଡିକ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସଂଶୋଧିତ ନିର୍ଦ୍ଦେଶନାମା ଚଳିତ ମାସ ୧୫ ତାରିଖରୁ ଲାଗୁ ହେବ। ସେହିଭଳି ରାଜ୍ୟରେ ସମସ୍ତ ଦୋକାନ ବଜାର ସବୁଦିନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକ ସମବେତ ହେବାକୁ ଅନୁମତି ଦିଆଯାଇଛି। ତେବେ ରାଜ୍ୟରେ ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ ଏବଂ ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡିକ ବନ୍ଦ ରହିବ।

Related Posts