CESU ର ଅନ୍ଧାରୀ ଯୋଜନା !

ବର୍ଷ ବର୍ଷ ଧରି ବକେୟା ବିଜୁଳି ବିଲ୍ ଆଦାୟ ନକରି କୋଟି କୋଟି ଟଙ୍କା ବୁଡି ଯିବାକୁ ବସିଥିବା ବେଳେ ଏବେ ସେସୁ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି । ଗୋଟିଏ ପଟେ ଘରୋଇ ଉଦ୍ୟୋଗକୁ ବିଦ୍ୟୁତ ବଣ୍ଟନର ଦାୟିତ୍ୱ ଟେକି ଦେବାକୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏବେ ସଂସ୍କାର ପାଇଁ ଆଗେଇ ଆସିଛି ବିଭାଗ । ଆସନ୍ତା ୧୫ ତାରିଖ ସୁଦ୍ଧା ବକେୟା ବିଜୁଳି ଦେୟ ନଦେଲେ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ସେସୁର CEO ଅରୁଣ ବୋଥ୍ରା ରୋକଠୋକ୍ ଶୁଣାଇ ଦେଇଛନ୍ତି । ଏହାର ପ୍ରଭାବରେ ୧୧୩୯୭ଟି ଗାଁ ରେ ଅନ୍ଧାର ରାଜୁତି କରିବ ।୨୦ ଟି ଡିଭିଜନ ଅନ୍ତର୍ଗତ ଏହି ବକେୟା ଗ୍ରାହକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ୪୧୩ଟି ସ୍କ୍ବାର୍ଡ ଗଠନ କରାଯାଇଛି ।

ସେସୁ କାହାରି ବିଦ୍ୟୁତ ସଂଯୋଗ କାଟିବାକୁ ଚାହୁଁ ନଥିଲେବି ଏହାଛଡା ଆଉ କିଛି ବିକଳ୍ପ ନାହିଁ ବୋଲି ଶ୍ରୀ ବୋଥ୍ରା ଗଣମାଧ୍ୟମକୁ କହିଛନ୍ତି । ବକେୟାଙ୍କ ମଧ୍ୟରେ ୮ ଲକ୍ଷ ଘରୋଇ ଉପଭୋକ୍ତା ଥିବାବେଳେ ୫୯ ହଜାର କମର୍ଶିଆଲ, ୫୯୬୫ଟି ସରକାରୀ କାର୍ଯ୍ୟାଳୟ ଏବଂ ୭୩ ହଜାର ଅନ୍ୟାନ୍ୟ ଅଛନ୍ତି । ବକେୟା ଚୁକ୍ତି ପାଇଁ ଇଚ୍ଛୁକ ଉପଭୋକ୍ତାଙ୍କ ପାଇଁ ୩୦ ପ୍ରତିଶତ ପଇଠ ପରେ ସହଜ କିସ୍ତି ର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ସରକାରୀ ଅନୁଷ୍ଠାନ/କାର୍ଯ୍ୟାଳୟ ଗୁଡିକର ବିଦ୍ୟୁତ ବକେୟା ପଇଠ ପାଇଁ ସେସୁକୁ ପ୍ରତିଶ୍ରୁତି ଦେଇଛନ୍ତି ।ଏଠାରେ ପ୍ରଶ୍ନ ଉଠୁଛି ଏତେ ସମସ୍ତ ବକେୟା ରହିବା ପଛର କାରଣ କ’ଣ ଏବଂ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ସେସୁ ଏତେ ତତ୍ପରତା ପ୍ରକାଶ କରୁଛି ତାହା ସନ୍ଦେହ ସୃଷ୍ଠି କରୁଛି । ଶୁଣିବାକୁ ମିଳୁଛି ଆଗାମୀ ଦିନରେ ଘରୋଇ ଉଦ୍ୟୋଗ ହାତକୁ ଟେକି ଦେବା ପୂର୍ବରୁ ସେସୁର ଏ ଅନ୍ଧାରୀ ଯୋଜନା ନିଶ୍ଚିତ ଭାବରେ ଅନେକ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

Related Posts