ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ

ଭୁବନେଶ୍ୱର: ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳୁ ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ମହାରାଜା ଗୋପୀନାଥ ଅନ୍ତିମ ଶ୍ୱାସକ୍ରିୟା ନେଇଥିବା  ଜଣାପଡ଼ିଛି । ମହାରାଜା ଗୋପୀନାଥ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 

ସୂଚନାଯୋଗ୍ୟ ଯେ, ଗୋପୀନାଥ ଗଜପତି ନାରାୟଣ ଦେବ ବ୍ରହ୍ମପୁରରୁ ୨ ଥର ସାଂସଦ ହୋଇଥିଲେ । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ ନବମ ଓ ଦଶମ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ସ୍ୱର୍ଗତ ପାରଳା ମହାରାଜା ବିଭିନ୍ନ ସମୟରେ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି (୧୯୯୮-୨୦୦୯) ଓ ବିଜୁ ଜନତା ଦଳ (୨୦୦୯)ରେ ଯୋଗଦେଇଥିଲେ ।

ପାରଳା ମହାରାଜା ଗୋପୀନାଥ ଗଜପତି ୧୯୪୩ ମସିହା ମାର୍ଚ୍ଚ ୬ ତାରିଖରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଧର୍ମପତ୍ନୀ ହେଉଛନ୍ତି ପୂର୍ଣ୍ଣଦେବୀ ଗଜପତି ଓ ୨ଟି ପୁଅ-ଝିଅ ଅଛନ୍ତି ।

Related Posts