ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ ସରକାର ସୋମବାର ରାଜ୍ୟର ରାଜସ୍ୱ ଡିଭିଜନରେ ପରିବର୍ତ୍ତନ କରିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନ ଅଧୀନରେ ଥିବା ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାକୁ ଉତ୍ତରାଞ୍ଚଳ ଡିଭିଜନ ଅଧୀନକୁ ଆଣିଛନ୍ତି । ତେବେ କେନ୍ଦ୍ରାଞ୍ଚଳ ଡିଭିଜନରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁସାରେ, ୧୯୯୩ ମସିହାରୁ ପ୍ରଶାସନିକ କାର୍ଯ୍ୟ ନିମନ୍ତେ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନ କାର୍ଯ୍ୟାଳୟର ଅଧୀନରେ ୧୦ଟି ରାଜସ୍ୱ ଜିଲ୍ଲା କାର୍ଯ୍ୟ କରୁଥିଲା । ମାତ୍ର ଆଜି ଏହାର ପୁନର୍ଗଠନ କରି ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାକୁ ଦକ୍ଷିଣାଞ୍ଚଳ ଡିଭିଜନରୁ ବାଦ୍ ଦିଆଯାଇଛି। ଏବେ ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନ ଅଧୀନରେ ମୋଟ ୮ଟି ଜିଲ୍ଲା ରହିବ । ସେଗୁଡ଼ିକ ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ରାୟଗଡ଼ା । ସେହିପରି ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ କାର୍ଯ୍ୟାଳୟ ଅଧୀନରେ ପୂର୍ବରୁ ୧୦ଟି ଜିଲ୍ଲା ଥିବାବେଳେ ଏବେ ସଂଶୋଧିତ ନିର୍ଦ୍ଦେଶନାମା ଅନୁସାରେ ଏହାର ପ୍ରଶାସନିକ କ୍ଷମତା ବୃଦ୍ଧି ପାଇ ମୋଟ ୧୨ଟି ରାଜସ୍ୱ ଜିଲ୍ଲା ରହିବ । ସେଗୁଡ଼ିକ ହେଲା- ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା,କେନ୍ଦୁଝର, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ରହିବ । ତେବେ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ ଅଧୀନରେ ଥିବା ୧୦ଟି ଜିଲ୍ଲା ପୂର୍ବପରି ଅପରିବର୍ତ୍ତିତ ରହିଛି।

ତେବେ ରାଜ୍ୟରେ ଜିଲ୍ଲା ପୁନର୍ଗଠନ ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଥିବା ରାଜ୍ୟ ସରକାର ରାଜସ୍ୱ ଡିଭିଜନର ପୁର୍ନଗଠନ ମାଧ୍ୟମରେ ଏଭଳି ପ୍ରଶାସନିକ ପଦକ୍ଷେପ ନେଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।