ବାୟୋ ବବଲ୍ ବଳୟ ଭିତରେ ଚାଲିବ ରଥ ନିର୍ମାଣ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବାୟୋ ବବଲ୍ ବା ଜୈବ ଫୋଟକାର ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ। ରଥ କାମରେ ନିୟୋଜିତ ସେବାୟତଙ୍କ ଭିତରେ କରୋନା ସଂକ୍ରମଣକୁ ଦେଖି ଏଭଳି ଉଦ୍ୟମ ହେଉଛି। ରଥ ନିର୍ମାଣରେ ନିୟୋଜିତ ମହାରଣା ଓ ଭୋଇ କାରିଗରଙ୍କ ଠାରେ କରୋନା ଠାବ ହେବାପରେ ସୁରୁଖୁରୁରେ ରଥକାମ ଚଳାଇବାପାଇଁ କାରିଗରମାନଙ୍କୁ ବାୟୋବବଲ ସୁରକ୍ଷା ବଳୟରେ ରଖିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି ।ରଥଖଳାରେ ସମୁଦାୟ ନିୟୋଜିତ ୮୮ ଜଣ ସେବାୟତଙ୍କ ଭିତରୁ ୮ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ ରହିଛିନ୍ତି। ବଡ଼କଥା ହେଉଛି ଏମାନେ ସମସ୍ତେ ସଙ୍ଗରୋଧରେ ଥାଇ କାମ କରୁଥିଲେ ବି ସଂକ୍ରମଣରୁ ବର୍ତ୍ତିପାରିନାହାନ୍ତି। ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ଏହି ସୂଚନା ଦେଇଛନ୍ତି । ସଂକ୍ରମଣ ବଢୁଥିବାରୁ ରଥଖଳା ଭିତରକୁ ରଥକାମରେ ସଂପୃକ୍ତ ସେବାୟତଙ୍କ ବ୍ୟତିତ ଅନ୍ୟ ସମସ୍ତଙ୍କ ଉପରେ ପ୍ରବେଶ କଟକଣା ଲଗାଯାଇଛି। ନୀଳାଦ୍ରି ଭକ୍ତ ନିବାସରେ ସଙ୍ଗରୋଧରେ ଥିବା ସେବାୟତଙ୍କ କୋଠରୀଗୁଡ଼ିକୁ ବିଶୋଧନ କରାଯାଉଛି। ସନ୍ଦିଗ୍ଧ ସେବାୟତଙ୍କ ଟେଷ୍ଟ କରାଯାଇ ପ୍ରଥମେ ସେମାନଙ୍କୁ ଗୁଣ୍ଡିଚା ଭକ୍ତ ନିବାସରେ ରଖାଯାଉଛି, ନେଗେଟିଭ୍ ଥିଲେ ଆଉଥରେ ନୀଳାଦ୍ରୀ ଭକ୍ତ ନିବାସକୁ ନିଆଯାଉଛି, ପଜିଟିଭ୍ ଥିଲେ ନୀଳାଚଳ ଭକ୍ତ ନିବାସରେ ରଖାଯାଇ ଚିକିତ୍ସା କରାଯାଉଛି। ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଆଜି ରଥଖଳାକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ଦେଖିବା ସହ ସେବାୟତଙ୍କ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରିଛନ୍ତି। କୋଭିଡ୍ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିଲେ ବି ମହାପ୍ରଭୁଙ୍କ ରଥଯାତ୍ରା ଓ ରଥନିର୍ମାଣ କାର୍ଯ୍ୟ ପରମ୍ପରା ଓ ରଥସଂହିତା ଅନୁଯାୟୀ କରିବା ଲକ୍ଷ୍ୟରେ ଅଛି ପ୍ରଶାସନ।ବାୟୋ ବବଲ୍ ହେଉଛି ଏକ ଜୈବିକ ସୁରକ୍ଷା ବଳୟ ଯାହାକୁ ସହଜରେ କରୋନା ଭୂତାଣୁ ଭେଦ କରିପାରେ ନାହିଁ । ଏହା ଅତ୍ୟନ୍ତ ସୁରକ୍ଷିତ ହୋଇଥିବାରୁ ରଥ ନିର୍ମାଣରେ ଏହାର ପ୍ରୟୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି । ଏହା ପୁର୍ବରୁ ଆଇପିଏଲ ରେ ମଧ୍ୟ ବ୍ୟବହାର କରାଯାଇ ଥିଲା।

Related Posts