କରୋନାରେ ବାପା-ମା ହରାଇଥିବା ପିଲାମାନଙ୍କ ପାଠପଢା ଖର୍ଚ୍ଚ ବହନ କରିବେ ଛତିଶଗଡ଼ ଓ ଦିଲ୍ଲୀ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : କୋଭିଡ୍ ର ଦ୍ୱିତୀୟ ଲହରରେ ସାରା ଦେଶ ପ୍ରଭାବିତ ହୋଇଛି। ସଂକ୍ରମଣ ଏଭଳି ବୃଦ୍ଧି ପାଉଛି ଯେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଅନେକ କ୍ଷେତ୍ରରେ, ଉଭୟ ପିତାମାତା କୋଭିଡ୍ ରେ ପ୍ରଣ ହରାଉଛନ୍ତି। ସେମାନଙ୍କ ପିଲାମାନେ ଅନାଥ ହେଇଯାଉଛନ୍ତି। ତେବେ ଏଭଳି ପରିସ୍ଥିତିରେ ବାପା ମା ନଥିବା ପିଲାମାନଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ଘେରରେ। ଏହା ମଧ୍ୟରେ ଛତିଶଗଡ ଓ ଦିଲ୍ଲୀ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ଏହି ଦୁଃଖଦ ସମୟରେ ଏକ ଖୁସି ଖବର। ଉଭୟ ରାଜ୍ୟର ସରକାର ଘୋଷଣା କରିଛନ୍ତି ଯେ ଯେଉଁ ପିଲାମାନଙ୍କର ବାପା-ମା କରୋନାରେ ପ୍ରାଣ ହରାଇଛନ୍ତି ସେମାନଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ରାଜ୍ୟ ସରକାର ନେବେ। ଛତିଶଗଡ଼ ସରକାର ଘୋଷଣା କରିଛନ୍ତି ଯେ ଏଭଳି ପିଲାମାନଙ୍କ ପାଇଁ ମାଗଣା ଶିକ୍ଷାଦାନ ସଙ୍ଗେ ସଙ୍ଗେ ସେମାନଙ୍କ ଭବିଷ୍ୟତ ଗଠନ ପାଇଁ ଯଥାସମ୍ଭବ ଚେଷ୍ଟା କରିବେ । ସରକାରଙ୍କ ମହାତରି ଦୁଲାର ସ୍କିମ୍ ମାଧ୍ୟମରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଚଳିତ ଆର୍ଥିକ ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଛତିଶଗଡ ସରକାରଙ୍କ ଘୋଷଣା ମୁତାବକ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏହିପରି ପିଲାମାନଙ୍କୁ ମାସିକ ୫୦୦ ଟଙ୍କା ଏବଂ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାମାନଙ୍କୁ ୧୦୦୦ ଟଙ୍କା ଛାତ୍ରବୃତ୍ତି ଦିଆଯିବ। ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପଢିବା ପାଇଁ ଏହି ଛାତ୍ରବୃତ୍ତି ଦିଆଯିବ। ସେହିପରି ସ୍ୱାମୀ ଆତ୍ମାନନ୍ଦ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଯଦି ଏହି ପିଲାମାନେ ଆଡମିଶନ ପାଇଁ ଆବେଦନ କରନ୍ତି, ତେବେ ସେମାନଙ୍କୁ ପ୍ରାଥମିକତା ଭାବେ ଆଡମିଶନ ଦିଆଯିବ। ଏବଂ ସେମାନଙ୍କୁ ବିନା ଶୁଳ୍କରେ ପାଠପଢିବାର ସୁଯୋଗ ମିଳିବ। ଛତିଶଗଡ ସରକାର ଘୋଷଣା କରିବାର ଗୋଟିଏ ଦିନ ପରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ମଧ୍ୟ ଏହି ଘୋଷଣା କରାଯାଇଛି। ଶୁକ୍ରବାର ଦିନ ଏକ ଅନଲାଇନ୍ ବାର୍ତ୍ତାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଯଦିଓ କୋଭିଡ୍ ମାମଲା କିଛିଟା ହ୍ରାସ ପାଇଛି, ତଥାପି COVID-19 ବିରୋଧରେ ଲଢେଇ ଶେଷ ହୋଇନାହିଁ। କେଜ୍ରିୱାଲ କହିଛନ୍ତି ଯେ “ଏମିତି ଅନେକ ପିଲା ଅଛନ୍ତି , ଯେଉଁମାନେ ଉଭୟ ପିତାମାତାଙ୍କୁ ହରାଇଛନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ମୁଁ ସେମାନଙ୍କ ପାଇଁ ଅଛି। ନିଜକୁ ଅନାଥ ବୋଲି ଭାବ ନାହିଁ।” କେଜ୍ରିୱାଲ ମଧ୍ୟ ବୟସ୍କ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି, ଯେଉଁମାନେ ସେମାନଙ୍କର ସନ୍ତାନ ହରାଇଛନ୍ତି, ଯେଉଁମାନେ ପରିବାରରେ ଏକମାତ୍ର ରୋଜଗାର କରୁଥିବା ସଦସ୍ୟ ଅଟନ୍ତି ସେମାନେ ନିଜକୁ ଏକାକୀ ଅନୁଭବ ନକରନ୍ତୁ । ସେମାନଙ୍କୁ କେଜ୍ରିୱାଲ କହିଛନ୍ତି, “ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସେମାନଙ୍କ ପୁଅ (କେଜ୍ରିୱାଲ) ଜୀବିତ ଅଛି । ସରକାର ଏପରି ସମସ୍ତ ପରିବାରକୁ ସାହାଯ୍ୟ କରିବେ, ଯେଉଁମାନେ ରୋଜଗାର କରୁଥିବା ସଦସ୍ୟ ହରାଇଛନ୍ତି।”

Related Posts