କରୋନାରେ ପ୍ରାଣ ହରାଇଥିବା ଶିକ୍ଷକଙ୍କ ପରିବାରକୁ ଏକ କୋଟି ଟଙ୍କା ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ଡାକ୍ତର ଠାରୁ ଆରମ୍ଭ ଶିକ୍ଷକ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକ୍ରାନ୍ତ କରୁଛି। ଅନେକ ଶିକ୍ଷକ ମଧ୍ୟ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀର ଏମିତି ଜଣେ କୋଭିଡ୍ ଯୋଦ୍ଧାଙ୍କ (ଶିକ୍ଷକ) ପରିବାରକୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଗତ ବର୍ଷ କୋଭିଡରେ ମୃତ୍ୟୁବରଣ କରିଥିବା ସ୍କୁଲ ଶିକ୍ଷକ ଶୋଜି ମିଶ୍ରଙ୍କ ପରିବାରକୁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଗତ ବର୍ଷ ଜୁନ୍ ୪ ତାରିଖରେ ଶୋଜୀ ମିଶ୍ର କଲ୍ୟାଣଭାସର ଆରଏସବିଭି ସ୍କୁଲରେ କୋଭିଡ୍ ଡ୍ୟୁଟିରେ ନିୟୋଜିତ ଥିଲେ। ଡ୍ଯୁଟି ସମୟରେ ସେ କରୋନା ସଂକ୍ରମିତ ହୋଇଥିଲେ। ଏବଂ ଏହାର ତିନି ଦିନ ପରେ ସେ ସଂକ୍ରମଣ ହେତୁ ମୃତ୍ୟୁ ବରଣ କରିଥିଲେ। ଦିଲ୍ଲୀ ସରକାରୀ ବିଦ୍ୟାଳୟରେ ସେ ଇଂରାଜୀ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । କରୋନାର ପ୍ରଥମ ଲହର ସହ ଯେତେବେଳେ ଭାରତ ଲଢେଇ କରୁଥିଲା ସେ ବି ତାଙ୍କ ଯୋଗଦାନ ଦେଇଥିଲେ। ଲକଡାଉନ୍ ଯୋଗୁଁ ବହୁ ସଂଖ୍ୟାରେ ପ୍ରାବସୀ ଘରକୁ ଫେରୁଥିବା ବେଳେ ସେମାନଙ୍କ ସ୍କ୍ରିନିଂ, ଖାଦ୍ୟ ଏବଂ ଅସ୍ଥାୟୀ ରହଣିର ସୁବିଧା କରୁଥିଲେ। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଲୋକଙ୍କ ସେବା ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୋଜି ମିଶ୍ରଙ୍କୁ ପ୍ରଶଂସା କରିଥିଲେ।

ପରିବାର ବର୍ଗଙ୍କୁ ଭେଟିବା ପରେ କେଜରିୱାଲ କହିଛନ୍ତି, ” ସ୍ବର୍ଗତ ଶ୍ରୀ ଶୋଜି ମିଶ୍ର ଦିଲ୍ଲୀ ସରକାରୀ ବିଦ୍ୟାଳୟରେ ଜଣେ ପରିଶ୍ରମୀ ତଥା ଉତ୍ସର୍ଗୀକୃତ ଶିକ୍ଷକ ଥିଲେ। ଗତ ବର୍ଷ କୋଭିଡ୍ ଡ୍ୟୁଟିରେ ନିୟୋଜିତ ଥିବାବେଳେ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ବିୟୋଗରେ ମୁଁ ତାଙ୍କ ପରିବାରର ଯନ୍ତ୍ରଣା ଏବଂ ଦୁଃଖ ବୁଝିପାରୁଛି। ଆମେ ଆଉ ତାଙ୍କୁ ଫେରାଇ ଆଣି ପାରିବୁ ନାହିଁ, କିନ୍ତୁ ମୁଁ ଦିଲ୍ଲୀ ସରକାରଙ୍କ ତରଫରୁ ତାଙ୍କୁ ଏକ କୋଟି ଟଙ୍କା ସହାୟତା ଯୋଗାଇ ଦେଇଛି ।”

Related Posts