ପାରମ୍ପରିକ ଆସନ ଭବାନୀପୁରରୁ ନିର୍ବାଚନ ଲଢିବେ ମମତା : ଇସ୍ତଫା ଦେଲେ ଶୋଭନଦେବ ଚଟ୍ଟୋପାଧ୍ୟାୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିପୁଳ ଜନମତ ସହ ଲଗାତର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାରତୀୟ ଜନତା ପାର୍ଟିକୁ କଡା ଟକ୍କର ଦେଇ ଟିଏମସି ୨୯୨ ଆସନରୁ ୨୧୩ ଆସନରେ ବିଜୟୀ ହୋଇଥିଲା। ୨୦୨୧ ବେଙ୍ଗଲ ବିଧାନସଭା ନିର୍ବାଚନ ସବୁଠାରୁ ଅଧିକ ଚର୍ଚ୍ଚିତ ନିର୍ବାଚନ ଥିଲା। ମମତାଙ୍କ ପୂର୍ବତନ ସହଯୋଗୀ ସୁଭେନ୍ଦୁ ଅଧୀକାରୀ ଟିଏମସି ଛାଡି ବିଜେପିରେ ଯୋଗଦେଇଥିଲେ । ମମତା ବାନାର୍ଜୀ ବିଜେପିର ସୁଭେନ୍ଦୁଙ୍କୁ ଟକ୍କର ଦେବା ପାଇଁ ନିଜର ପାରମ୍ପରିକ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ। ଏହା ପରେ ସେ କେଉଁ ଆସନରୁ ନିର୍ବାଚନ ଲଢିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପଟେ ଆଜି ମମତାଙ୍କ ପାଇଁ ରାସ୍ତା ସଫା କରିବାକୁ ଯାଇ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ଭବନୀପୁରରୁ ସିଟ୍‌ରୁ ଇସ୍ତଫା ଦେଇଛନ୍ତି। ଶୋଭନଦେବଙ୍କ ଇସ୍ତଫା ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ଗ୍ରହଣ କରିଛନ୍ତି। ବାଚସ୍ପତି କହିଛନ୍ତି,‘ମୁଁ ତାଙ୍କୁ ପଚାରିଛି ସେ ନିଜେ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାକୁ ତାଙ୍କ ଉପରେ କେହି ଚାପ ପକାଇନାହାନ୍ତି। ମୁଁ ସନ୍ତୁଷ୍ଟ ଅଛି ଏବଂ ତାଙ୍କର ଇସ୍ତଫା ଗ୍ରହଣ କରିଛି।’ ଶୋଭନଦେବ ଚଟ୍ଟୋପାଧ୍ୟାୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୬ ମାସ ମଧ୍ୟରେ ଭବାନୀପୁର ଆସନରୁ ନିର୍ବାଚନ ଲଢିବେ । ସେ ଏହି ୬ ମାସ କୃଷି ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇବେ । ତେବେ ସମ୍ବିଧାନର ଧାରା ୧୬୪ ଅନୁଯାୟୀ, ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଧାନସଭା ସଦସ୍ୟଙ୍କୁ ୬ ମାସ ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡ଼ିବ। ତେଣୁ ଏହି ସମୟ ମଧ୍ୟରେ ସେ ବିଧାନସଭାକୁ ଫେରିବା ପାଇଁ ଅନ୍ୟ ଏକ ଆସନରୁ ନିର୍ବାଚନ ଲଢିବେ । ୮୦ ବର୍ଷୀୟ ଶୋଭନଦେବ ଚାଟ୍ଟୋପାଧ୍ୟାୟ ୨୦୧୬ରେ ରସବିହାରୀ ଆସନରୁ ବିଧାୟକ ଥିଲେ ଏବଂ ପୂର୍ବ କାର୍ଯ୍ୟକାଳରେ ସେ ଶକ୍ତି ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ଏଥର ମମତା ବାନାର୍ଜୀ ଭବାନୀପୁର ଆସନ ଛାଡି ନନ୍ଦିଗ୍ରାମ ଯିବା ପରେ ଶୋଭନଦେବଙ୍କୁ ଏହି ଆସନ ପାଇଁ ଟିକେଟ୍ ଦିଆଯାଇଥିଲା। ସେ ବିଜେପି ପ୍ରାର୍ଥୀ ତଥା ଅଭିନେତାରୁ ରାଜନେତା ହୋଇଥିବା ରୁଦ୍ରାନିଲ ଘୋଷଙ୍କୁ ପରାସ୍ତ କରି ୯ ମଇରେ କୃଷି ମନ୍ତ୍ରୀ ଭାବରେ ଶପଥ ନେଇଥିଲେ।

Related Posts