ଜୟପୁର: ଉଦୟପୁରର ଦରଜି କହ୍ନେୟାଲାଲଙ୍କ ଦୁଇ ପୁଅଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । କ୍ୟାବିନେଟ ବୈଠକରେ ଉଭୟଙ୍କୁ ସରକାରୀ ଚାକିରି ଦେବା ନେଇ ଘୋଷଣା କରିଛନ୍ତି। କ୍ୟାବିନେଟରେ ଆସିଥିବା ଏହି ପ୍ରସ୍ତାବରେ ସମସ୍ତ ମନ୍ତ୍ରୀ ମଧ୍ୟ ସହମତ ହୋଇଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର କହ୍ନେୟାଲାଲଙ୍କ ପରିବାରକୁ ୫୧ ଲକ୍ଷ ଟଙ୍କା ଚେକ ମଧ୍ୟ ଦେଇଥିଲେ।

ସୂଚନାଯୋଗ୍ୟ, ଜୁନ୍‌ ୨୮ରେ ଦରଜି ୪୮ ବର୍ଷୀୟ କହ୍ନେୟାଲାଲଙ୍କୁ ଦୁଇ ଯୁବକ ଗସ ମହମ୍ମଦ ଓ ମହମ୍ମଦ ରିୟାଜ ଅନସାରୀ ଦୋକାନ ଭିତରେ ପଣି ହତ୍ୟା କରିଥିଲେ। ଏହି ଦୃଶ୍ୟକୁ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ହତ୍ୟା ପରେ ଉଭୟ ଭିଡିଓ ଜାରି କରି ଘଟଣାକୁ ସ୍ବୀକାର କରିଥିଲେ। କହ୍ନେୟାଲାଲଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସପକ୍ଷରେ ପୋଷ୍ଟ କରାଯାଇଥିଲା। ନୂପୁର ଶର୍ମା ଇସଲାମ ଓ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରିଥିଲେ। ସେଭଳି ଜଣେ ଲୋକଙ୍କୁ ସମର୍ଥନ କରିଥିବାରୁ ଦୁଇ ଯୁବକ ପ୍ରତିଶୋଧ ନେବା ପାଇଁ ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିବା ଭିଡିଓରେ କହିଥିଲେ। ଭିଡିଓ ଜାରି ହେବାର କିଛି ସମୟ ମଧ୍ୟରେ ହିଁ ରାଜସ୍ଥାନ ପୋଲିସ ଉଭୟଙ୍କୁ ଗିରଫ କରିଥିଲା।