ସ୍ୱାଧୀନତା ଦିବସରେ ଛତିଶଗଡରେ ୪ନୂଆ ଜିଲ୍ଲା ଓ ୧୮ଟି ତହସିଲ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସ୍ୱାଧୀନତା ଦିବସ ଅବସରରେ ଛତିଶଗଡରେ ୪ଟି ନୂଆ ଜିଲ୍ଲା ଓ ୧୮ ଟି ତହସିଲ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ବର୍ତ୍ତମାନ ଛତିଶଗଡ଼ରେ ସର୍ବମୋଟ ୩୨ ଟି ଜିଲ୍ଲା ରହିବ। ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ରାୟପୁର ପୁଲିସ ପ୍ୟାରେଡ ଗ୍ରାଉଣ୍ଡରେ ଆୟୋଜିତ ପତାକା ଉତ୍ତୋଳନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଆଜିଠାରୁ ରାଜ୍ୟରେ ମୋହଲାମାନପୁର, ମନେନ୍ଦ୍ରଗଡ, ସାରଙ୍ଗଗଡ ଓ ଶକ୍ତି ନାମରେ ୪ ଟି ଜିଲ୍ଲା ଯୋଡା ଯାଇଛି । ଏହାକୁ ମିଶାଇ ରାଜ୍ୟରେ ଏବେ ୩୨ଟି ଜିଲ୍ଲା ହୋଇଛି। ଏହା ସହିତ ରାଜ୍ୟରେ ନୂଆ ୧୮ ଟି ତହସିଲ ଗଠନ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ” ପ୍ରଶାସନର ସୁବିଧାକୁ ସମସ୍ତ ଲୋକଙ୍କ ନିକଟତର କରିବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ, ତେଣୁ ମୁଁ ମୁଖ୍ୟମନ୍ତ୍ରୀ ହେବାର ଆଠ ମାସ ମଧ୍ୟରେ ୧୫ ଅଗଷ୍ଟ ୨୦୧୯ ରେ ଗରେଲା-ପେଣ୍ଡ୍ରା-ମାରୱା ଜିଲ୍ଲା ଗଠନ କରିବାକୁ ଘୋଷଣା କରିଥିଲେ।  

ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରାତନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟର କଲେଜଗୁଡ଼ିକରେ ୟୁଜି ଓ ପିଜି ପାଠ୍ୟକ୍ରମରେ ଆଡମିଶନ ପାଇଁ ବୟସ ସୀମା ରହିଛି।  ତେବେ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ନାଁ ଲେଖାଇବା ପାଇଁ କୌଣସି ବୟସ ସୀମା ରହିବ ନାହିଁ । ଏହା ଫଳରେ ଛାତ୍ରଛାତ୍ରୀମାନେ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ପାଇଁ କୌଣସି ବୟସରେ ବି ନାଁ ଲେଖାଇ ପାରିବେ । ଏହାସହ ରାଜ୍ୟରେ ଲୋକମାନଙ୍କୁ ରିହାତି ଦରରେ ଔଷଧ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ପାଇଁ ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ମଧ୍ୟ ସହିଦ ହୋଇଥିଲେ।  ଶହୀଦ ହେବାର ଏହି ପରମ୍ପରା ଏତେ ବ୍ୟାପକ ଯେ ପ୍ରତ୍ୟେକ ରାଜ୍ୟରେ ଏପରି ବ୍ୟକ୍ତିତ୍ୱର ସ୍ମୃତି ଅନ୍ତର୍ଭୁକ୍ତ ହୋଇଛି, ଯାହାକୁ କେବଳ ଏହି ଦିନ ନୁହେଁ, ପ୍ରତ୍ୟେକ ଦିନ ମନେ ରଖିବା ଏବଂ ସେମାନଙ୍କ ପଥ ଅନୁସରଣ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି। 

ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଯେ ଛତିଶଗଡରେ ଦୀର୍ଘ ବର୍ଷ ଧରି ବିଚାରାଧୀନ ଥିବା ସମସ୍ୟାର ସମାଧାନ ସାଢେ ତିନି ବର୍ଷ ମଧ୍ୟରେ ସମାଧାନ ହୋଇସାରିଛି ଏବଂ ବର୍ତ୍ତମାନ ରାଜ୍ୟର ସବୁଆଡେ ବିକାଶର ନୂଆ ରଙ୍ଗ ଆରମ୍ଭ ହେବାକୁ ଯାଉଛି।  ନକ୍ସଲବାଦ ସମସ୍ୟାକୁ ରୋକିବାରେ ଏହି ସଫଳତା ଉତ୍ସାହଜନକ ଅଟେ । ବସ୍ତର ଫାଇଟର୍ସ ବାଟାଲିୟନ ଅଧୀନରେ ୨୮୦୦ ନୂତନ ପଦବୀରେ ନିଯୁକ୍ତ ହେବ । ନକ୍ସଲ ପ୍ରଭାବିତ ଜିଲ୍ଲାମାନଙ୍କରେ ୬୩ ଟି ପୋଲିସ ଷ୍ଟେସନ କୋଠା ନିର୍ମାଣ କରାଯାଉଛି । ପୋଲିସ୍ ଫୋର୍ସର ଆଧୁନିକୀକରଣ ପାଇଁ ଯୋଜନା ଅନୁମୋଦନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଯେ ଗତ ଅଢେଇ ବର୍ଷ ମଧ୍ୟରେ ୧୮ ହଜାର ୪୯୨ କୋଟି ଟଙ୍କା ବିନିଯୋଗରେ ୧୧୪୫ ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଇଛି ଏବଂ ୨୮ ହଜାରରୁ ଅଧିକ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି। 

Related Posts