ତେଜୁଛି ମେଗା ଜଳ ପ୍ରକଳ୍ପ ବନ୍ଦ ଦାବି : ସ୍ୱାଧୀନତା ଦିବସରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଚେତାବନୀ ପ୍ରକଳ୍ପ ବନ୍ଦ ନହେଲେ ବ୍ୟାପକ ହେବ ଆନ୍ଦୋଳନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଏପଟେ ଦେଶ ପାଳୁଛି ୭୫ ତମ ସ୍ବାଧୀନତା ଦିବସ ସେପଟେ ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଧାରଣାରେ ବସିଛନ୍ତି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ବେଆଇନ ଗିରଫଦାରି, ପ୍ରକଳ୍ପ କାମ ବନ୍ଦ ଦାବିରେ ଖରସ୍ରୋତା ବଞ୍ଚାଅ ସମିତି ପକ୍ଷରୁ ଅଚ୍ୟୁତପୁର ଅନ୍ଧାର ଘରଣୀ ନିକଟରେ ଶହ ଶହ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି । 

ଯଦି ଦାବି ପୂରଣ ନହୁଏ ତେବେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବରୁଣାଡ଼ିଆ ପଡ଼ିଆରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଥିବା ବେଳେ ଏହାକୁ ବିରୋଧ କରିଆସୁଛନ୍ତି ସ୍ଥାନୀୟ ବାସିନ୍ଦା । 

ପ୍ରକଳ୍ପ କାମକୁ ବିରୋଧ କରି ଆନ୍ଦୋଳନ ବେଳେ ୧୨ ତାରିଖରେ ପ୍ରକଳ୍ପ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା ଏବଂ ହିଂସାକାଣ୍ଡ ହୋଇଥିଲା । ପୋଲିସ ଏହି ଘଟଣାରେ ୨୪ ଜଣଙ୍କୁ ଗିରଫ କରିଥିଲା । ତେଣୁ ବେଆଇନ ଗିରଫଦାରିକୁ ବନ୍ଦ କରିବା ଦାବିରେ ସ୍ଥାନୀୟ ବାସିନ୍ଦା ବିରୋଧ ପ୍ରଦର୍ଶନ କରୁଛନ୍ତି। 

ସୂଚନାଯୋଗ୍ୟ ଯେ ଗତ ଗୁରୁବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ର ଭାରୀଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା। ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନରେ ସାମିଲ୍ ହୋଇ ପୁଲିସ୍ ବ୍ୟାରେକେଡକୁ ଭାଙ୍ଗି ପ୍ରକଳ୍ପ ନିର୍ମାଣ ସ୍ଥଳକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। 

ପ୍ରକଳ୍ପ ନିର୍ମାଣକ୍ଷେତ୍ରରେ ଥିବା କମ୍ପାନୀର ଗାଡି, ଆମ୍ବୁଲାନ୍ସ, ପାଣି ଟ୍ୟାଙ୍କର, ଡିଜେଲ ଟ୍ୟାଙ୍କର ଗୁଡିକୁ ଭାଙ୍ଗି ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ। ଆନ୍ଦୋଳନକାରୀମାନେ ତହସିଲ୍‌ଦାରଙ୍କୁ ଠେଲାପେଲା କରିବା ପରେ ପୁଲିସ୍ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ମାରପିଟ୍ ଗଣ୍ଡଗୋଳରେ ଉଭୟ ଜନତା ଏବଂ ପୋଲିସ ଆହତ ହୋଇଥିଲେ । ଦୀର୍ଘ ଦୁଇ ବର୍ଷ ହେବ ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ପାଣି ଦେବାକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନ କରି ଆସୁଛନ୍ତି । 

Related Posts