୪୫୦ କୋଟି ଟଙ୍କା ବ୍ୟୟରେ ୬ଟି ଉଚ୍ଚଶକ୍ତି ସମ୍ପନ୍ନ ଗ୍ରୀଡ୍ ସବଷ୍ଟେସନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୪୫୦ କୋଟି ଟଙ୍କା ବ୍ୟୟରେ ୬ଟି ଉଚ୍ଚଶକ୍ତି ସମ୍ପନ୍ନ ଗ୍ରୀଡ୍ ସବଷ୍ଟେସନ ଓ ଗୋଟିଏ ୨୨୦ କେଭି ଟ୍ରାନ୍ସମିଶନ ଲାଇନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । ଆଜି ଭର୍ଚୁଆଲ ମୋଡରେ ଏହି ସମସ୍ତ ପ୍ରକଳ୍ପକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଦ୍ୟୁତ ହେଉଛି ବିକାଶର ଜୀବନରେଖା। ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ। ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉପଯୁକ୍ତ ବ୍ୟବହାର କରାଯିବା ଉଚିତ୍। ଏହି ବିଦ୍ୟୁତ ପ୍ରକଳ୍ପଗୁଡ଼ିକ ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦେବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାୟଗଡା, ନବରଂଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।

ଏବାବଦରେ ୪୫୦କୋଟି ଟଙ୍କା ବିନିଯୋଗ ହୋଇଛି । ରାଜ୍ୟରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ୩୮୦୦କୋଟି ଟଙ୍କାର ବ୍ୟୟ ଅଟକଳ ରଖିଛନ୍ତି। ଏବେ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବଷ୍ଟେସନ କାର‌୍ୟ୍ୟକାରୀ କରାଯାଇଛି । ରାଜ୍ୟରେ ଲୋ ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର‌୍ୟ୍ୟାୟରେ ୧୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

Related Posts