ଆସନ୍ତା 13ରେ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁମ୍ୱାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 13 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ମୁମ୍ବାଇ ଗସ୍ତ କରିବେ । ଆସନ୍ତା 14 ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ସାମିଲ ହେବେ ନବୀନ । ପ୍ରସ୍ତୁତିର ସମୀକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁମ୍ବାଇ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଓ ଶିଳ୍ପ ସଚିବ । 14 ତାରିଖ ସନ୍ଧ୍ୟା ସାଢେ଼ 6ଟାରେ ମୁମ୍ବାଇର ନରିମନ ପଏଣ୍ଟରେ ଥିବା ହୋଟେଲ ଟ୍ରାଇଡେଣ୍ଟରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ହେବ । ଏଥିରେ ଦେଶର ବିଶିଷ୍ଟ ଶିଳ୍ପପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶାରେ ପୁଞ୍ଜିନିବେଶ ଓ ମେକ ଇନ୍ ଓଡିଶା 2022 ସଂସ୍କରଣରେ ସାମିଲ ହେବା ପାଇଁ ରାଜ୍ୟ ସରକାର ଶିଳ୍ପପତିମାନଙ୍କୁ ନିବେଦନ କରିବେ । ନଭେମ୍ବର 30ରୁ ଡିସେମ୍ବର 4 ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜନ ହେବ ମେକ ଇନ୍ ଓଡ଼ିଶା କନକ୍ଲେଭ । ଏଥିରେ ବିଭିନ୍ନ ସଂସ୍ଥା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଚୁକ୍ତିନାମା ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀକୁ ନିବେଶକଙ୍କୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗର ପ୍ରଚାର ପ୍ରସାର ପାଇଁ ଏହି ଗସ୍ତ କରୁଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ 15ରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶିଳ୍ପ ସଚିବ ଏବଂ କିଛି ବରିଷ୍ଠ ଅଧିକାରୀ ଆଗୁଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ଫିକିର ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ସମ୍ମିଳନୀରେ 30 ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଦୁବାଇରେ ମଧ୍ୟ ଶିଳ୍ପପତିମାନଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ବେଶ ଉତ୍ସାହଜନକ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ସମୟରେ ବେଙ୍ଗାଲୁରୁ, ଚେନ୍ନାଇ, କୋଲକତା ଆଦି ସ୍ଥାନରେ ଓଡିଶା ଇନଭେଷ୍ଟର ମିଟ୍ ହେବ ଜଣାପଡିଛି ।

Related Posts