‘ଯେଉଁମାନେ ଦେଶକୁ ଭାଙ୍ଗିଥିଲେ ସେମାନେ ଆଜି ଭାରତକୁ ଯୋଡିବା କଥା କହୁଛନ୍ତି’: ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ଯେଉଁମାନେ ଦେଶକୁ ଭାଙ୍ଗିଥିଲେ ସେମାନେ ଆଜି ଭାରତକୁ ଯୋଡିବା କଥା କହୁଛନ୍ତି । ଭାରତ ତ ପ୍ରଥମରୁ ଯୋଡି ହୋଇ ରହିଛି । କଂଗ୍ରେସ ତ ପୂର୍ବରୁ ସବୁଠୁ ବଡ ପାପ ଭାରତକୁ ଭାଙ୍ଗିକି କରିଛି । ଏଭଳି ପାପ ପାଇଁ ଦେଶ କେବେ ମଧ୍ୟ କଂଗ୍ରେସକୁ କ୍ଷମା କରିବନି’। କିଛି ଏଭଳି କହି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଭାରତ ପ୍ରଥମରୁ ଏକତ୍ରିତ ହୋଇରହିଛି । ଅନେକ କ୍ଷେତ୍ରରେ ଭାରତ ଆଜି ବିଶ୍ବ ଦରବାରରେ ନେତୃତ୍ବ ନେଉଛି । ପ୍ରଧାନମନ୍ତ୍ରୀ ମୋଦି ଆଜି କେବଳ ଭାରତର ନେତା ନୁହନ୍ତି ବରଂ ପୁରା ବିଶ୍ବରେ ଲୋକପ୍ରିୟ ନେତା ହୋଇପାରିଛନ୍ତି । ଭାରତ ଯୋଡିବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ରଥମେ ଭାରତକୁ ବୁଝନ୍ତୁ । ଅଟଳ ବିହାରୀ ବାଜପେୟୀ ପୂର୍ବରୁ କହିସାରିଛନ୍ତି, “ଭାରତ କେବଳ ଗୋଟିଏ ଭୂଖଣ୍ଡ ନୁହଁ, ଭାରତ ଗୋଟିଏ ଜୀବନ୍ତ ଯୁଗ ପୁରୁଷ”। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ରାହୁଲ ଗାନ୍ଧି ପ୍ରଥମେ ଭାରତକୁ ବୁଝିବାକୁ ଚେଷ୍ଟା କରନ୍ତୁ । ସେ ଭାରତ ଉପରେ ଭାଷଣ ଦେଉଛନ୍ତି କିନ୍ତୁ ଦେଶକୁ ବୁଝିବାରେ ସେ ଅକ୍ଷମ । ଯେଉଁ ମାନେ ଦେଶ ବିଭାଜନ କରିଛନ୍ତି ସେମାନେ ଲୋକଙ୍କ ନିକଟକୁ ଗଲେ ଜନତା ସେମାନଙ୍କୁ କେବେ ସ୍ବୀକାର କରିବେ ନାହିଁ ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଛି। ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୩୫୭୦ କିଲୋମିଟର ବ୍ୟାପୀ କାଶ୍ମୀର ଯାଏଁ ଚାଲିବ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହି ଯାତ୍ରାକୁ କଂଗ୍ରେସ ପ୍ରମୁଖ ଅସ୍ତ୍ରଭାବେ ନେଇଛି ।

Related Posts