କାଳିଆ କେ ଲିୟେ କୁଛ୍ ଭି କରେଗା !

ସତ୍ୟପାଠ ବ୍ୟୁରୋ : ଯାହା ହେଲେ ହେଇଯାଉ, ହେଲେ କାଳିଆକୁ ଛାଡିବାର ପ୍ରଶ୍ନ ଉଠୁନି । ନିର୍ବାଚନ ପୂର୍ବରୁ କାଳିଆ ବାଣରେ ବିରୋଧୀଙ୍କ ସବୁ ରଣନୀତିକୁ ଫେଲ କରିଥିବା ମୁଖ୍ୟମନ୍ତ୍ରୀ ଆଜି କାଳିଆ ଧାମରେ କାଳିଆ ଜୟ ଜୟକାର କରିଛନ୍ତି । ଆଉ କହିଛନ୍ତି କାଳିଆକୁ କେହି ରୋକି ପାରିବେ ନାହିଁ ।

ପୁରୁଣା ଓଡିଆ ଚଳଚ୍ଚିତ୍ର ଆସୁଛି ମୋ କାଳିଆ ସୁନାରେ ଖଳନାୟକର ଗୋଟିଏ ସଂଳାପ ମନେ ପଡୁଛି । କାଳିଆ… କାଳିଆ… କାଳିଆ… କିଏ ସେ କାଳିଆ ! କାଳିଆ ନିଆଁ ନା ଧୂଆଁ ! ସିନେମାରେ କାଳିଆକୁ ଧରିବାକୁ ଖଳନାୟକ ଯେତେ ଚେଷ୍ଟା କଲେ ବି ଶେଷ ପର୍ଯ୍ୟନ୍ତ ତାକୁ ଧରିବାରେ ସକ୍ଷମ ହୋଇ ନଥିଲା । କହିବାର ତାତ୍ପର୍ଯ୍ୟ ଏଇଆ ଯେ, ଓଡିଶା ରାଜନୀତିରେ ବି କାଳିଆର ଆବିର୍ଭାବ ବିରୋଧୀଙ୍କୁ ଘାଇଲା କରି ସାରିଛି । ବାରମ୍ବାର କାଳିଆକୁ ଘେରିବାକୁ ଅନେକ ଚେଷ୍ଟା କରାଯାଇଛି, ହେଲେ ଧରା ଦେଉନି କାଳିଆ । ଯେମିତି କାଳିଆକୁ ରୋକିବା ସମ୍ଭବ ହେଉନି ।

ଏଇ କାଳିଆ ପାଇଁ ଢ଼େର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଲାଣି ରାଜ୍ୟ ସରକାରଙ୍କୁ । କିନ୍ତୁ କାଳିଆକୁ କାଳିଆକୁ ଛାତଛଡା କରିବାକୁ ରାଜି ନୁହଁନ୍ତି ମୁଖ୍ୟମନ୍ତ୍ରୀ । ଆଜି ଏକ ସାଧାରଣ ସଭାରେ କାଳିଆ ପାଇଁ ଯୁକ୍ତି ବାଢ଼ିଛନ୍ତି ନବୀନ । ଚାଷୀଙ୍କ ଶସ୍ୟରେ ମହାପ୍ରସାଦ ପ୍ରସ୍ତୁତ ହେଉଥିବାରୁ ଏହି ଯୋଜନାର ନାଁ କାଳିଆ ରହିଛି ବୋଲି କହିବା ସହ କେହି ବି ଚାହିଁଲେ କାଳିଆକୁ ରୋକି ପାରିବେ ନାହିଁ ବୋଲି କହି ଦମ୍ଭ ଦେଖାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାଳିଆ ପ୍ରୀତିରୁ ତ ଗୋଟିଏ କଥା ସ୍ପଷ୍ଟ ହେଉଛି, କାଳିଆ ପାଇଁ କଣ୍ଟିଜେନ୍ସି ଫଣ୍ଡରୁ ଟଙ୍କା ନେଲି, କାଳିଆ ପାଇଁ କୋର୍ଟରୁ ସମନ ନେଲି, କାଳିଆ ପାଇଁ ବିରୋଧୀଙ୍କ ଠାରୁ ଗାଳି ନେଲି କିନ୍ତୁ କାଳିଆକୁ ଛାଡିପାରିବି ନାହିଁ ମାନେ କାଳିଆ କେ ଲିୟେ କୁଛ୍ ଭି କରେଗା…..

Related Posts