‘ନବୀନ ପଟ୍ଟନାୟକ ମୋଦିଙ୍କ ଜୁନିୟର ପାର୍ଟନର’

ମୋଦି ଓ ରାହୁଲଙ୍କ ଉପରେ ବର୍ଷିଲେ ରାହୁଲ
‘ନବୀନ ଜନତାର ନୁହେଁ ଅମଲାଙ୍କ କଥା ଶୁଣନ୍ତି’
‘କଂଗ୍ରେସ କ୍ଷମତାକୁ ଆସିଲେ 10 ଦିନ ଭିତରେ କୃଷି ଋଣ ଛାଡ଼’

ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ତମାଣ୍ଡୋ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାହୁଲ କରିଛନ୍ତି କଡ଼ା ସମାଲୋଚନା । ରାହୁଲ କହିଛନ୍ତି, ‘ଉଭୟ ମୋଦି ଓ ନବୀନ ସରକାରଙ୍କ ଚିନ୍ତାଧାରା ଏକ । ଏମାନେ କିଛି ଉଦ୍ୟୋଗପତିଙ୍କୁ ଧରି ନିଜର ବିକାଶ କରୁଛନ୍ତି ।’

ନବୀନଙ୍କୁ ମୋଦିଙ୍କ ଜୁନିଅର ପାର୍ଟନର ବୋଲି କହିଲେ ରାହୁଲ ଗାନ୍ଧି । ବିଜେପିକୁ ଟାର୍ଗେଟ୍‌ କରି ରାହୁଲ କହିଲେ ଦେଶରେ ସବୁଠି ବିଜେପି ଓ ଆର୍‌ଏସ୍‌ଏସ୍‌ ଅଶାନ୍ତି ସୃଷ୍ଟି କରୁଛନ୍ତି । ଯୁବକଙ୍କୁ ନିଯୁକ୍ତି ନାହିଁ, କୃଷକଙ୍କୁ କହୁଛନ୍ତି ଆମ ପାଖରେ କିଛି ନାହିଁ ।

ରାହୁଲ କହିଛନ୍ତି, ‘ଶାନ୍ତି ଓ ଭାଇଚାରାର କଥା ଓଡ଼ିଶାବାସୀଙ୍କ ରକ୍ତରେ ଅଛି, ଓଡ଼ିଶା ଗରିବ ରାଜ୍ୟ ନୁହେଁ, କିନ୍ତୁ ଓଡ଼ିଶାର ଲୋକେ ଗରିବ । ଲୋକଙ୍କର ସବୁ କିଛି ଲୁଟି କିଛି ଉଦ୍ୟୋଗପତିଙ୍କୁ ଦିଆଯାଉଛି । ’୧୫ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ କେତୋଟି ଜଳସେଚନ ପ୍ରକଳ୍ପ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ,‘ମୁଁ ମିଛ ପ୍ରତିଶ୍ରୁତି ଦେବାକୁ ଓଡ଼ିଶା ଆସିନାହିଁ । କିନ୍ତୁ କଂଗ୍ରେସ ସରକାର ଆସିଲେ ୧୦ ଦିନରେ କୃଷିଋଣ ଛାଡ଼ ହେବ । ଋଣଛାଡ଼ ଚାଷୀଙ୍କ ପାଇଁ ଉପହାର ନୁହେଁ, ସେମାନଙ୍କର ଅଧିକାର । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ଚାଷୀଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା କରାଯିବ ।’

ରାହୁଲ କହିଛନ୍ତି, ମୁଁ ଯାହା କହିବି ତାହା କରି ଦେଖାଇବି । କଂଗ୍ରେସ ଦଳ ଦେଶକୁ ସବୁଜ ବିପ୍ଳବ ଦେଇଛି । ପଞ୍ଜାବ ଓ ହରିୟାଣାର ଚାଷୀଙ୍କ ଜୀବନଧାରା ବଦଳାଇଥିଲା କଂଗ୍ରେସ । ଓଡ଼ିଶାର ପ୍ରତି ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ କରିବୁ । ପ୍ରତି ଜିଲ୍ଲାକୁ ଭୁବନେଶ୍ବର ସହ ଯୋଡ଼ା ହେବ ।

ମୁଖ୍ୟମନ୍ତ୍ରୀ ଜନତାର ନୁହେଁ, ଅମଲାଙ୍କ କଥା ଶୁଣନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧି । ଚିଟ୍‌ଫଣ୍ଡ ଦୁର୍ନୀତି ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଏଥିସହ ରାଜ୍ୟରେ ସ୍ବାସ୍ଥ୍ୟସେବାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିଛନ୍ତି ସମାଲୋଚନା ।

ରାହୁଲ କହିଛନ୍ତି, ‘ନବୀନ ସ୍ବାସ୍ଥ୍ୟ କ୍ଷେତ୍ର କଥା କୁହନ୍ତି ମାତ୍ର ବାସ୍ତବ ସମ୍ପୂର୍ଣ୍ଣ ଭିନ୍ନ । ରୁଗ୍‌ଣ ଶିଳ୍ପକୁ ପୁଣି ଥରେ ରାଜ୍ୟରେ ଚାଲୁ କରାହେବ । ଓଡ଼ିଶାରେ ନିଯୁକ୍ତି ପ୍ରସଙ୍ଗରେ ରାହୁଲ ଗାନ୍ଧି କହିଛନ୍ତି, ‘ମୁଖ୍ୟମନ୍ତ୍ରୀ କହିଥିଲେ ୨୦୨୦ ସୁଦ୍ଧା ୩୦ ଲକ୍ଷ ନିଯୁକ୍ତି ଦିଆଯିବ । କିନ୍ତୁ ଏ ଯାଏଁ କେତେ ନିଯୁକ୍ତି ହୋଇଛି ? ରାଜ୍ୟରେ ଖାଲି ପଡ଼ିଥିବା ୧.୩୧ ଲକ୍ଷ ସରକାରୀ ପଦବୀ ପୂରଣ କରିବ କଂଗ୍ରେସ ସରକାର ।

Related Posts