ଭୁବନେଶ୍ୱର: ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ରୋମରେ ଅଛନ୍ତି । ସେଠାରେ ଏବେ ତାଙ୍କ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ତେବେ ଏହି ଅବସରରେ ପ୍ରଥମେ ରୋମରେ ଥିବା ମହତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଛି।

୨୦୧୮ରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ସମୟରେ ଅହିଂସା ଶଦ୍ଦକୁ ସମ୍ବିଧାନ ପ୍ରିୟାମ୍ବୁଲରେ ସ୍ଥାନିତ କରାଗଲେ ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରସ୍ତାବ ରଖିଥିଲେ। ୨୪ ତାରିଖ ଯାଏ ରୋମରେ ରହିବେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସଲୀଙ୍କୁ ଭେଟିବା ସହ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବେ ।

ଏଥିରେ ଓଡ଼ିଶା କିପରି ଖାଦ୍ୟ ଉତ୍ପାଦନରେ ବଳକା ରାଜ୍ୟ ହେଲା ଓ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଇ ପାରିଲା ତାର ସଫଳତା ଏବଂ ଅନୁଭୂତି ବଖାଣିବେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଉଦାହରଣ ଦେବେ ନବୀନ ।

ରୋମରେ ରହଣି ସମୟରେ ଭାଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ସାକ୍ଷାତ କରିବେ । ୨୪ ତାରିଖରେ ରୋମରୁ ୟୁରୋପ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୨୬ ତାରିଖରେ ଇନଭେଷ୍ଟର ମିଟ୍ ଲାଗି ଦୁବାଇ ଗସ୍ତ କରିବେ । ୨୯ ତାରିଖରେ ମିଡଲ୍ ଇଷ୍ଟ ପୁଞ୍ଜି ନିବେଶକାରୀଙ୍କ ସହ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା କରିବେ । ପରେ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିବେ ।