ଜେଲ୍‌ରେ ଲଗଜୁରୀ ସୁବିଧା ପାଇଁ ଜେଲ୍‌ ଅଧିକାରୀଙ୍କୁ ଲାଞ୍ଚ ଦେଉଛି ମହାଠକ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଜେଲ୍ ରେ ଅଛି ୨୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ମହାଠକ ସୁକେଶ ଚନ୍ଦ୍ରଶେଖର । ତେବେ ଏହାରି ମଧ୍ୟରେ ତାଙ୍କୁ ନେଇ ଏକ ଆଉ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଜେଲ୍‌ରେ ଲଗଜୁରୀ ସୁବିଧା ପାଇଁ ଜେଲ୍‌ ଅଧିକାରୀଙ୍କୁ ଲାଞ୍ଚ ଦେଉଥିଲା ସୁକେଶ। ତା’ପୁଣି ହଜାରେ କି ଲକ୍ଷେ ନୁହେଁ ପୂରା କୋଟିଏ। ସୁକେଶ ଠାରୁ ଅଧିକାରୀମାନେ ମାସକୁ ଦେଢ଼ କୋଟି ଟଙ୍କା ଲାଞ୍ଚ ନେଉଥିଲେ। ଏହି ଅଭିଯୋଗରେ ୮୨ ଜେଲ୍‌ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଆରମ୍ଭ ହୋଇଛି ତଦନ୍ତ।

ଅଭିଯୋଗ ମୁତାବକ, ଜେଲ ଅଧିକାରୀମାନେ ମହାଠକ ସୁକେଶଠାରୁ ମାସକୁ ଦେଢକୋଟି ଟଙ୍କା ଲାଞ୍ଚ ନେଉଥିଲେ। ସୁକେଶକୁ ଅଲଗା ବ୍ୟାରାକରେ ରଖିବା , ସେଠାରେ ତାକୁ ଘର ପରି ସୁବିଧା ଯୋଗାଇବା ସହ ମୋବାଇଲ ବ୍ୟବହାର କରିବାକୁ ସୁଯୋଗ ଦେଉଥିଲେ ଜେଲ ଅଧିକାରୀ। କୌଣସି ସୂତ୍ରରୁ ଏହା ଜଣାପଡିବା ପରେ ଦିଲ୍ଲୀ ପୁଲିସ ତନାଘନା ଆରମ୍ଭ କରିଛି। ରୋହିଣୀ ଜେଲର ଅଧିକାରୀ ଓ କର୍ମଚାରୀଙ୍କ ଉପରେ ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ ପୁଲିସ।

ଉଲ୍ଲେଖଯୋଗ୍ୟ, ୨୦୦ କୋଟି ଟଙ୍କାର ହେରଫେର ମାମଲାରେ ଦିଲ୍ଲୀର ରୋହିଣୀ ଜେଲରେ ଅଛି ସୁକେଶ। ଏପରିକି ଜେଲରେ ରହି ମଧ୍ୟ ସେ କୋଟି କୋଟି ଟଙ୍କା ଠକି ନେଇଥିଲା। ନିଜକୁ ଗୃହମନ୍ତ୍ରଳାୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଇ ଫୋନରେ ଲୋକଙ୍କ ସହ କଥାବାର୍ତ୍ତା କରିବା ପରେ ଟଙ୍କା ଠକି ନେଉଥିଲା। ଏଥିରେ ତା’ର ପତ୍ନୀ ମଧ୍ୟ ସାମିଲ ଥିଲେ। ଏଥିରେ ଅନେକ ଜେଲ୍‌ ଅଧିକାରୀ ମଧ୍ୟ ସାମିଲ ଥିଲେ, ଯାହାକୁ ପରେ ଗିରଫ କରାଯାଇଛି।

Related Posts